Unknown

 

 

 

 

 

 

 

 

 

କବିତାବଳୀ

ଭକ୍ତକବି ମଧୁସୂଦନ ରାଓ

 

ସ୍ତୋତ୍ର

 

ଏ ଅନନ୍ତ ବିଶ୍ୱ ତୁମ୍ଭ ମହିମା-କୀର୍ତ୍ତନ

ଅଶେଷ ପ୍ରକାରେ ବିଭୋ, କରେ ଅନୁକ୍ଷଣ ।

ତୁମ୍ଭ ଜ୍ୟୋତି ଲଭି ଚନ୍ଦ୍ର ତାରକା ଭାସ୍କର

ମଣ୍ଡନ୍ତି ଶୁଭ୍ର ଆଲୋକେ ନିଜ କଳେବର ।

ଦିବସ ରଜନୀ ପୁଣି ଋତୁପରମ୍ପରା,

ନିତ୍ୟ ଆବର୍ତ୍ତନଶୀଳ ରମଣୀୟ ଧରା,

ସୁନୀଳ ଗଗନ, ସିନ୍ଧୁ ରତନନିଳୟ

ଦରଶନେ ଦେଉଛନ୍ତି ତୁମ୍ଭ ପରିଚୟ ।

ତୁମ୍ଭର ବିଶାଳ ପ୍ରୀତି ରମ୍ୟ ବସନ୍ତରେ

ଅବତରି ଧରାତଳେ ଆନନ୍ଦ ବିତରେ ।

ତାରାମୟ ଗଗନକୁ, ବିଦ୍ରୁମକୁ ବଳି

ମନୋଜ୍ଞ କୁସୁମଦଳେ ଶୋଭେ ବନସ୍ଥଳୀ ।

ତରୁ ଡାଳେ ବସି ପିକ ତୁମ୍ଭ ପ୍ରେମଗୀତ

ମନୋହର ତାନେ ଗାଇ ରମେ ଲୋକଚିତ୍ତ ।

ତୁମ୍ଭ ପରିମଳ ଘେନି ମଳୟପବନ

ବିଭୁଙ୍କ ପ୍ରସାଦ ବୋଲି କରେ ବିତରଣ ।

ନିଦାଘର ତାପେ ଆଉ ତେଜେ ବିଭୂଷିତ

ତୁମ୍ଭର ମହିମା, ପ୍ରଭୋ ହୁଅଇ ବିଦିତ ।

ତୁମ୍ଭ ରବି ଏବେ ବୁଣେ ଖର ରଶ୍ମିରାଶି,

ତହୁଁ ପରିଣାମେ ସୁଖ ଭୁଞ୍ଜେ ଧରାବାସୀ ।

ବରଷାରେ ଘନମାଳା ଭୀମବେଶ ଧରି

ଗଗନେ ଘୋଟନ୍ତି ତୁମ୍ଭ ଆଜ୍ଞା ଅନୁସରି ।

ଭୀଷଣ କୁଳିଶ ନାଦ, ଚପଳା ସ୍ଫୁରଣ,

ତୁମ୍ଭର ମହିମା ପ୍ରଭୋ, କରନ୍ତି ଘୋଷଣ ।

ପ୍ରଚଣ୍ଡ ଆରବେ ଏବେ ବହେ କଲ୍ଲୋଳିନୀ

ସିନ୍ଧୁସଙ୍ଗେ କରିବାକୁ ତୁମ୍ଭ ଜୟଧ୍ୱନି ।

ଶରଦେ ବିମଳ ନଭେ ଚନ୍ଦ୍ରମା ବିମଳ,

ପ୍ରଫୁଲ୍ଲ କୁସୁମରାଜି, ସ୍ୱଚ୍ଛ ନଦୀଜଳ,

କେଦାରରେ ପକ୍ୱଶାଳୀ ଜୀବହିତକର

ପ୍ରକାଶନ୍ତି ତୁମ୍ଭ ପ୍ରେମ ଅସୀମ ସୁନ୍ଦର ।

ହେମନ୍ତ ଶିଶିରକାଳେ ତୁମ୍ଭର ଆଦେଶେ

ପ୍ରକୃତି ସାଜଇ ଅତି ଦୀନହୀନ ବେଶେ ।

ଜଣାଏ ମାନବବର୍ଗେ ସମସ୍ତ ନଶ୍ୱର,

ଚିରସ୍ଥାୟୀ ନୁହେ କିଛି ଜଗତ ମଧ୍ୟର ।

ସକଳ ଋତୁଏ ତୁମ୍ଭ ଆଜ୍ଞା ଅନୁସରି

ଚଳନ୍ତି ନିୟତିଚକ୍ରେ, ବିଭୋ, ଏହିପରି ।

Image

 

ଭାରତୀ-ବନ୍ଦନା

(ଶ୍ରୀପଞ୍ଚମୀ–ଉପଲକ୍ଷରେ ରଚିତ)

 

(୧)

ଅନନ୍ତ-ମାନସ-କମଳବାସିନୀ

ଦିବ୍ୟଜ୍ଞାନମୟୀ ଅମୃତଭାଷିଣୀ

ବିଧାତାର ବାଣୀ ବିଶ୍ୱବିମୋହିନୀ

କ୍ଷଣେ କୋଟି ବିଶ୍ୱ ସୃଜନକାରିଣୀ

ଚିଦାନନ୍ଦମୟୀ ଅରୂପଧାରିଣୀ

ନିତ୍ୟ ନବ ନବ ସୃଷ୍ଟିପ୍ରକାଶିନୀ

ଆସ ମା ଭାରତୀ ଭାରତଧାମେ ।

ଅନ୍ଧକାରମୟ ତୋ ବିନା ଭାରତ,

ଭୀଷର ଶ୍ମଶାନରୂପେ ପରିଣତ,

ମୃତ ଅଚେତନ ଭାରତ ସନ୍ତତି ,

ହରାଇଣ ଆଶା ଉତ୍ସାହ ଶକତି,

ନୀରବ ନିଶ୍ଚଳ ଭାରତ ସଂସାର

ନାହିଁ ଗୋ ଜୀବନ-ବୀଣାର ଝଙ୍କାର

ଭାରତ ଭାରତ କେବଳ ନାମେ !

 

(୨)

ଥିଲା ଦିନ ଯେବେ ତୋହର ପ୍ରସାଦେ

କୋଟି କୋଟି କଣ୍ଠ ଅମୃତ ନିନାଦେ

ତେଜେ ପରିପୂର୍ଣ୍ଣ ସ୍ୱାଧୀନତା-ଗୀତ

ବହି କରୁଥିଲା ଜଗତ ମୋହିତ,

କାହିଁ ବେଦମାତଃ ସେ ପୁଣ୍ୟ ଦିନ !

ଜଡ଼ତା ନୈରାଶ୍ୟ ଅନ୍ଧାରେ ଜଡ଼ିତ

ଚିର-ପରାଧୀନ ପତିତ ନିଦ୍ରିତ

ଭାରତ ସନ୍ତାନ ସର୍ବେ ନରନାରୀ

ନିଜର ମହିମା ଗୌରବ ପାସୋରି

ହୋଇଛନ୍ତି ମାତଃ କେମନ୍ତ ହୀନ !

 

(୩)

କେତେକାଳ ଆଉ ରହିଥିବ ପଡ଼ି

ଭାରତ ଦାରୁଣ ଅବସାଦେ ସଢ଼ି,

ଆସ ମା ଭାରତୀ କରୁଣା କରି ।

ଗମ୍ଭୀରେ ବଜାଅ ମୃତ୍ୟୁଭୟଜିଣା

ପ୍ରାଣସଞ୍ଚାରିଣୀ ସେ ଅମୃତ ବୀଣା

ଜାଗୁ ଏ ଭାରତ ଜୀବନ ଧରି ।

(୪)

ଆସ ମା ଆସ ମା ଆସ ମା ଜନନୀ ,

ଆଜି ପୁଣ୍ୟ ମାଘେ ପୁଣ୍ୟ ଶ୍ରୀପଞ୍ଚମୀ,

ସୁଚାରୁ ନବୀନ ମଧୁ ଆଗମନେ

ହସଇ ଧରଣୀ ଆନନ୍ଦିତ ମନେ,

ଆସ ମା ଭାରତେ ଭାରତୀ ରାଣୀ ।

ତିମିର-ସାଗରୁ ନବ ଦିନମଣି

ହିରଣ୍ମୟ କରେ ଉଦ୍ଧାରି ଧରଣୀ

ଭାରତ-ଆକାଶ କରୁ ସମୁଜ୍ଜ୍ୱଳ,

ଉଛୁଳୁ ଭାରତେ ଆନନ୍ଦଚହଳ

ହସୁ ଏ ଭାରତ ଶୁଣି ତୋ ବୀଣା ।

(୫)

ଦିଅ ମା ଫିଟାଇ ସ୍ୱରଗର ଦ୍ୱାର,

ଉଜ୍ଜ୍ୱଳ କର ମା ଭାରତ-ସଂସାର,

ସ୍ୱରଗର ପ୍ରେମ ପୁଣ୍ୟ ଜ୍ୟୋତିରାଶି

ଭାରତ ଲଲାଟ ଧୌତ କରୁ ଆସି,

ପୁଣ୍ୟ-ଜଳେ ଧୁଅ ଭାରତର ତନୁ,

ପାପ ତାପ ଯାଉ ଭାରତଭବନୁ,

କର ମା’ କରୁଣା ଭାରତ ପ୍ରତି ।

ଜୟ ଜୟ ଜୟ ବ୍ରହ୍ମାଣ୍ଡ ଜନନୀ

ଅନନ୍ତ-ମାନସ-କମଳବାସିନୀ

ଚିଦାନନ୍ଦମୟୀ ଅରୂପଧାରିଣୀ

ନିତ୍ୟ ନବ ନବ ସୃଷ୍ଟିପ୍ରକାଶିନୀ

ଦିବ୍ୟଜ୍ଞାନମୟୀ ଅମୃତଭାଷିଣୀ

ଅଚେତନ ଜନ ଜାଗ୍ରତକାରିଣୀ,

ଆସ ମା ଭାରତେ ଭାରତୀ ସତୀ ।

Image

 

ନିର୍ବାସିତର ବିଳାପ

 

ଦେଖଇ ନେତ୍ର ଯାହା ଚଉଦିଗର,

ସେ ସର୍ବର ଅଟଇ ମୁଁ ଅଧୀଶ୍ୱର ।

ମହୀମଣ୍ଡଳେ ନାହିଁ ଏମନ୍ତ ଜନ,

ମୋ ଅଧିକାର ଲୋଭେ କରିବ ରଣ ।

ଚାରିଆଡ଼େ ନୀଳ ସମୁଦ୍ରଯାଏ

ଫୁଲଫଳଶୋଭିତ ବନ ଲତାଏ,

କୀଟ ପତଙ୍ଗ ପକ୍ଷୀ କେଶରୀ କରୀ,

ପଶୁସୃଷ୍ଟି ଯେତେକ ସବୁ ମୋହରି ।

ବିଜନତା ! କାହିଁ ତୋ ବେଶ ମୋହନ ?

ଯେ ବେଶେ ମୋହିଲୁ ତୁ ମୁନିନୟନ ।

ବଂର ନିବାସ ଭଲ ରଣକ୍ଷେତ୍ରରେ,

ଭୟରେ ସଦା ଯହିଁ ହୃଦୟ ଥରେ;

କିନ୍ତୁ ଏ ଭୀମ ସ୍ଥଳେ ରାଜ୍ୟ ପ୍ରାପତି,

ଅଟଇ ମୋ ବିଚାରେ ଅଧମ ଗତି ।

ସୁନ୍ଦର ଦେବ ତୁଲ୍ୟ ନର ଆନନ

ଦେଖିବ ନାହିଁ ଆଉ ମୋର ନୟନ ।

ଲିଭିବ ଏଥି ମୋର ଜୀବନ-ଦୀପ,

ଏ ବାରତା ନ ଯିବ ଜନ ସମୀପ ।

ମଧୁମୟ ମନୁଷ୍ୟ କଣ୍ଠର ଧ୍ୱନି,

ତୋଷିବ ନାହିଁ ଆଉ ଶ୍ରବଣ ବେନି ।

ମୋ କଣ୍ଠୁଁ ଶବ୍ଦ ଯେବେ ହୁଏ ବାହାର ,

ଚମକି ପଡ଼େଁ ଯେହ୍ନେ ଆଉ କାହାର ।

ଭ୍ରମନ୍ତି ଚଉପାଶେ ପଶୁନିକର,

ନୁହନ୍ତି ମୋତେ ଦେଖି ଭୟେ କାତର ।

ଜାଣି ନାହନ୍ତି କେବେ ନର ପ୍ରଭାବ,

ଏଣୁ ତାଙ୍କର ଏହି ଅନାସ୍ଥା ଭାବ ।

କାହିଁ ବନ୍ଧୁତା, କାହିଁ ପ୍ରେମ ସନ୍ଦର,

ଯାର ପ୍ରାପତି ଯୋଗୁଁ ଦେବତା ନର ।

ଥାଆନ୍ତା ଯେବେ ମୋର ବିହଙ୍ଗ ପକ୍ଷ,

ଲଙ୍ଘି ଭୀଷଣ ଗିରି, ସମୁଦ୍ର ବକ୍ଷ

ଦେଖନ୍ତି ପ୍ରିୟଜନ ମୁଖ-କମଳ,

ହୁଅନ୍ତା ସନ୍ତାପିତ ପ୍ରାଣ ଶୀତଳ ।

ଧରମ ସତ୍ୟ ପଥେ ନିତ୍ୟ ସଞ୍ଚରି

ନାଚନ୍ତା ଆନନ୍ଦରେ ହୃଦ ମୋହରି ।

ପ୍ରବୀଣ ଜନଠାରୁ ସଦୁପଦେଶ

ଲଭି ହୁଅନ୍ତି ମୁହିଁ ବିଜ୍ଞ ବିଶେଷ ।

ତରୁଣ ସଙ୍ଗେ ମିଳି ନାନା ରଙ୍ଗରେ

ଗମନ୍ତି କାଳ ଆହା କି ଆମୋଦରେ !

ଧର୍ମ ଆହା ସେ କିବା ଅମୂଲ୍ୟ ଧନ,

ସରି ନୁହଇ ତାର ମଣି କାଞ୍ଚନ ।

ସ୍ୱର୍ଗୀୟ ମାଧୁରୀରେ ସଦା ସୁନ୍ଦର,

ମହୀମଣ୍ଡଳେ କାହିଁ ତା ପଟାନ୍ତର ।

ଏମନ୍ତ ଧର୍ମରତ୍ନ ଦେବ-ପୂଜିତ

ଅଟଇ ଏ ସ୍ଥଳରେ ଅପରିଚିତ ।

ଦେବ-ଅର୍ଚନା- ବାଦ୍ୟ ଏ ଗିରିଗଣ

କରି ନାହାନ୍ତି ଥରେ ସୁଦ୍ଧା ଶ୍ରବଣ ।

ଧର୍ମ-ଉତ୍ସବ ସୁଖ ଏ ଘୋର ବନ

କଦାପି କରିନାହିଁ ବାରେ ଦର୍ଶନ ।

ବୃଥା ଜୀବନ ଯହିଁ ନାହିଁ ଧରମ,

ପଶୁଲୀଳା ସାଧନ ମାତ୍ର କରମ ।

ରେ ବାୟୁ ! କ୍ରୀଡ଼ାନକ ମୁହିଁ ତୋହର,

ମୋର ପ୍ରାର୍ଥନା ବାରେ ଶ୍ରବଣ କର ।

ବହି ଆଣେ ସ୍ୱଦେଶୁ ସୁସମାଚାର,

ପାଇବି ନାହିଁ ଆଉ ଦର୍ଶନ ଯାର ।

ଶୁଣି ସେ ପ୍ରିୟ ବାର୍ତ୍ତା ଏ ଭୀମ ସ୍ଥଳେ

ଭାସିବ ଚିତ୍ତ ମୋର ଆନନ୍ଦ-ଜଳେ ।

ମୋ ଘେନି ଭାଳନ୍ତି କି ବନ୍ଧୁନିକର,

ମୋତେ ଦେଖିବାକୁ କି କାନ୍ଦେ ଅନ୍ତର ?

କହ କହ ସମୀର ! ସବୁ ଫିଟାଇ,

ବନ୍ଧୁ ମଧ୍ୟରେ ମୋର କେହି କି ନାହିଁ ?

ନିରାଶ ମୋ ହୃଦୟ, ନୋହି ନିଷ୍ଠୁର,

କହି ବାରତା, କର ସଂଶୟ ଦୂର ।

ଆହା କିବା ଅଦ୍ଭୁତ ମନର ଗତି,

ଅଚିନ୍ତନୀୟ ଅଟେ ତାର ଶକତି ।

କ୍ଷଣମାତ୍ରକେ ମନ କରେ ଦର୍ଶନ

ଏହି ଅପରିସୀମ ବିଶ୍ୱଭୁବନ ।

ଜିଣଇ ସହଜରେ ମନୁଷ୍ୟ ମତି

ପ୍ରଭଞ୍ଜନର ବେଗ, ଆଲୋକ ଗତି ।

ଯେତେବଳେ ସ୍ୱଦେଶ ପଡ଼ଇ ମନେ,

ବିଚାରଇ ମୁଁ ଅଛି ନିଜ ସଦନେ ।

ଆତ୍ମୀୟ ବନ୍ଧୁବର୍ଗ ଚାରି ଆଡ଼ରେ,

ତାଙ୍କ ସଙ୍ଗତେ ଯେହ୍ନେ ମୁଁ କାଳ ହରେ ।

କିନ୍ତୁ ପୂରବ କଥା କଲେ ସ୍ମରଣ,

ନୈରାଶ୍ୟ-ସାଗରରେ ବୁଡ଼ଇ ମନ ।

ବୃଥା ଭାବନା ଆଉ କରିବି ନାହିଁ,

ଭାବନାରେ ଆନନ୍ଦ ମିଳଇ କାହିଁ ?

ନୀଡ଼ କୋଳରେ ସୁପ୍ତ ପକ୍ଷୀ-ନିକର,

ଆଶ୍ରିଲେଣି ପଶୁଏ ନିଜ ଗହ୍ୱର ।

ଉପସ୍ଥିତ ରଜନୀ କାଳ ଗମ୍ଭୀର,

ନିହିବି କୁଟୀରରେ ଏବେ ଶରୀର ।

ଅଛନ୍ତି ସର୍ବ ସ୍ଥଳେ ଜଗଦୀଶ୍ୱର,

ଦୟାମୟ ଫେଡ଼ିବେ ଦୁଃଖ ମୋହର ।

ଈଶ୍ୱର ଦୟା ଆହା କିବା ଉଦାର,

ଲଘୁ କରଇ ଦୁଃଖୀ ହୃଦୟ ଭାର ।

ଜନମାଏ ସନ୍ତୋଷ ମନୁଷ୍ୟ ମନେ,

ମଣ୍ଡଇ ହୃଦ-ରାଜ୍ୟ ଶାନ୍ତି-ରତନେ ।

Image

 

ଶ୍ମଶାନ

 

ଅସ୍ତ ହେଲେ ରବି ଗ୍ରହରାଜ ଦିନମଣି,

ତାରାମୟ ହାର ପିନ୍ଧି ଆସିଲା ରଜନୀ ।

ଚନ୍ଦ୍ରମାର ସୁଧା-କରେ ପ୍ରଫୁଲ୍ଲ ଭୁବନ ,

ମନ୍ଦ ମନ୍ଦ ବହେ ଗନ୍ଧବହ ସମୀରଣ ।

ନୀଳାମ୍ବର-ଆଲିଙ୍ଗନେ ଅଧୀର ହୃଦୟ

ପ୍ରସାରଇ ସିନ୍ଧୁ ବକ୍ଷ ନୀଳମଣିମୟ ।

ଭ୍ରମିଲି ଏସନ କାଳେ ଅମ୍ବୁପତି ତଟେ,

କଳ୍ପନା ଚିତ୍ରିଲା କେତେ ଛବି ଚିତ୍ତ-ପଟେ ।

ଭ୍ରମୁଁ ଭ୍ରମୁଁ ଏକସ୍ଥାନେ ହେଲି ଉପନୀତ,

ଭୀଷଣ ଶ୍ମଶାନ ଯହିଁ ଅଟେ ବିରାଜିତ ।

ଅସ୍ଥିମାଳା ନରମୁଣ୍ଡେ ଧବଳିତ ଦେଶ ,

ଭସ୍ମରାଶି ଚିତାନଳେ ବିକଟ ବିଶେଷ ।

ଭୀମ ନାଦେ ଚଉପାଶେ ବେଢ଼ି ଶିବାଗଣ

କ୍ରୂର ହର୍ଷେ ଶବରାଶି କରନ୍ତି ଭକ୍ଷଣ ।

ପଡ଼ନ୍ତେ ନୟନ ମୋର ଏ ଭୀଷଣ ସ୍ଥଳ

ଚମକିତ ଚିତ୍ତ କ୍ଷଣେ ହୋଇଲା ନିଶ୍ଚଳ ।

ନ ଦିଶିଲା ଧରା କିମ୍ବା ସାଗର ଗଗନ

ନିବାତ ନିଷ୍କମ୍ପ ହ୍ରଦେ ତରଙ୍ଗ ଯେସନ;

ନ ସ୍ଫୁରିଲା ଭାବ-ଊର୍ମ୍ମି ଚିତ୍ତରେ ତେସନ ।

କ୍ରମେ ଏ ଭାବନା ହୃଦୁଁ ହେଲା ତିରୋହିତ,

ସ୍ମୃତି-ନଭେ ବହୁ ଛବି ହୋଇଲା ଉଦିତ ।

ଗମ୍ଭୀର ଭାବସଙ୍କୁଳ ହୋଇଲା ମାନସ ।

ବର୍ଷାଗମେ ହଂସେ ଯଥା ବେଢ଼ନ୍ତି ମାନସ ।

ସ୍ୱର୍ଗୀୟ ଆନନଶିରୀ ମୃତ ମାତାଙ୍କର,

ନବୀନ କୁସୁମ ପ୍ରଭା ମୃତ ଭଗିନୀର,

ମୃତ ଜ୍ଞାନଦାତା ପୁଣି ମୃତ ପରିଜନ

ନୟନ ଆଗରେ ଯେହ୍ନେ ନାଚିଲେ ତକ୍ଷଣ ।

ଆବର ଚିନ୍ତିଲି ଇହ ପରକାଳ କଥା ,

ସ୍ୱରଗ ଆନନ୍ଦ ଶାନ୍ତି ନରକର ବ୍ୟଥା ।

ଏମନ୍ତ ବହୁତ ଭାବ ହୃଦୟ–ଅମ୍ବରେ

ବିଜୁଳି ସମାନ ଉଇଁ ଲିଭିଲେ ସତ୍ୱରେ ।

ସଂସାରର ଅନିତ୍ୟତା-ତତ୍ତ୍ୱ-ଚିନ୍ତା-ଘନ

ଅବଶେଷ ମାନସକୁ କରିଲା ଆଚ୍ଛନ୍ନ ।

ଚିରସ୍ଥାୟୀ ନୁହେ କିଛି ସକଳ ଅସ୍ଥିର,

ଜୀବନ ଯୌବନ ଧନ ପଦ୍ମପତ୍ରନୀର ।

ରାଜା ପ୍ରଜା ମୂର୍ଖ ଜ୍ଞାନୀ ଦୁଃଖୀ ଧନବାନ,

ନିଷ୍ଠୁର ଶମନଠାରେ ସମସ୍ତେ ସମାନ ।

ବୃଥା ନର ଅହଂକାର ପଦର ଗୌରବ,

ନିମେଷେ ବିଲୋପୀ କାଳ କରେ ସବୁ ଖର୍ବ ।

ଉଚ୍ଚ ଅଭିଳାଷୀ ଯେଉଁ ମଦମତ୍ତ ନର

ପ୍ରତିବାସୀ-ସ୍ୱତ୍ୱନାଶେ ସର୍ବଦା ତତ୍ପର,

ପାସୋରି ମତ୍ସର ଭାବ ଚିରକାଳ ପାଇଁ ।

ଏହି ସ୍ଥାନେ ସେହି ବ୍ୟକ୍ତି ବିଲୟ ଭଜଇ ।

ସମର ମଦରେ ମାତି ଯେଉଁ ବୀରବର

ଭୀଷଣ ବଳରେ ନାଶି ଅରାତିନିକର

ଲଭେ ଅରିନ୍ଦମ ନାମ ଏ ଭବଭବନେ,

ପାସୋରି ବିଜୟଚିନ୍ତା ଯଶୋରୂପଧନେ

ପରିଣତ ଆହା ସେହି ଭସ୍ମ-ଆସ୍ତରଣେ !

ପ୍ରିୟପତି ଅଙ୍କ ଛାଡ଼ି ନବୀନା କାମିନୀ

କାଳବଶେ ଏହିଠାରେ ଭସ୍ମବିଳାସିନୀ ।

ଘୋଟିଲେ ପୟୋଦ, ପ୍ରଭାକର ପ୍ରଭାତରେ

ଅନ୍ଧକାର କରି ବିଶ୍ୱ ଲୁଚନ୍ତି ଅମ୍ବରେ ।

ସେହିପରି ତମୋମୟ କରି ନିଜ ଘର

ପଡ଼ନ୍ତି ବାଳକ କେତେ ଶମନ ମୁଖର ।

ନବ ବିକଶିତ ପୁଷ୍ପ ସମାନ ସୁନ୍ଦର,

କେତେ ନବ ଶିଶୁ ମାତା ପିତା ମନୋହର,

ଅକାଳେ ଜନନୀ କୋଳୁଁ ହୋଇ ବିଶ୍ଳେଷିତ

ହୁଅନ୍ତି ଭୀମ ଶ୍ମଶାନ ଗର୍ଭରେ ନିହିତ ।

ଯମର ତାଡ଼ନେ ଏହିପରି ଜୀବରାଶି

ହୁଅନ୍ତି ସକଳ ତେଜି ଶ୍ମଶାନନିବାସୀ ।

Image

 

ଶରତ୍‌ ପ୍ରଭାତ

 

ଛାଡ଼ି ବନ୍ଧୁ ନଗର-ଚହଳ,

ଯିବା ଚାଲ ଯେଉଁ ସ୍ଥାନେ ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସର୍ବଦା ଉଜ୍ଜ୍ୱଳ ।

ବନ୍ଧୁ, ଏହି ଶରତ ସମୟ,

ଗ୍ରାମରେ ବୁଲିବା ଆଜି, ଦେଖିବା କେମନ୍ତେ ସାଜି

ପ୍ରକୃତି ସୁନ୍ଦରୀ ହରେ ଭାବୁକ ହୃଦୟ,

କରିବା ବିବିଧ ଗଳ୍ପେ ଚିତ୍ତ ବିନିମୟ ।

ପଲ୍ଲୀଶୋଭା ବଳଇ ବଚନ,

ଦିନମଣି ପ୍ରତ୍ୟାଗମେ ଶତ ଶତ ବିହଙ୍ଗମେ

କରନ୍ତି ସଙ୍ଗୀତ ଯେହ୍ନେ ବୈତାଳିକଗଣ,

ଦେଖି ଅରାତିବିଜୟୀ ଭୂପ ଆଗମନ ।

ଏବେ ମନ୍ଦ ସମୀର ସଞ୍ଚରେ,

ଚୁମ୍ବି ଫୁଲ ନଦୀ ପର୍ଣ୍ଣେ ସଦା ପ୍ରେମକାଣ୍ଡ ବର୍ଣ୍ଣେ

ଲାଜେ ଭୟେ ଆହା ତହୁଁ ଫୁଲ ଥରଥରେ,

ନଦୀ କଳକଳେ, ପୁଣି ପର୍ଣ୍ଣ ମରମରେ ।

 

ବନେ ଭ୍ରମେ ବିଭ୍ରମୀ ଭ୍ରମର,

ଯେ ପୁଷ୍ପର ଗନ୍ଧଧନ ହରିଥାଏ ସମୀରଣ,

ଘୃଣାଭରେ ତେଜେ ତାକୁ ଯେସନ ନାଗର

ଦେଖି ତାର ବନିତାର କୁଳଟାବେଭାର ।

 

ନିରେଖିବା କୁସୁମନିକର,

ଭାରତେ କବିସମ୍ବଳ, ରମ୍ୟ କୁମୁଦ କମଳ

ଅସିତା ଅପରାଜିତା ମାଳତୀ ସୁନ୍ଦର

ସୁକୁମାର ଶେଫାଳିକା ଧବଳ ଟଗର ।

 

କି ସୁନ୍ଦର କେଦାର ଶ୍ୟାମଳ !

ତହିଁ ଶସ୍ୟାବଳୀ ରଙ୍ଗେ ଖେଳୁଣଥାନ୍ତି ତରଙ୍ଗେ,

ତା ଦେଖି ଆନନ୍ଦେ ଗାଏ କୃଷକ ସରଳ ।

କିଏ ସୁଖୀ ନୋହେ ଆଶା ହୋଇଲେ ସଫଳ ?

 

ହାସ୍ୟମୟୀ ଉଷା ଆଗମନେ

ତେଜିଣ ବେଗେ ପହୁଡ଼ ଗୋଧନ ଘେନି ଗଉଡ଼

ବଜାଇ ବଜାଇ ବଂଶୀ ସୁଲଳିତ ସ୍ୱନେ

ଗୋଷ୍ଠକୁ ଗମଇ ଧୀରେ ଆହ୍ଲାଦିତ ମନେ ।

 

କାଖେ ଘେନି ସଲିଳ କଳସ

ପଲ୍ଲୀସୀମନ୍ତିନୀଗଣ ରଙ୍ଗେ କରନ୍ତି ଗମନ,

ଅନାଇ ଜଳ-ଦର୍ପଣେ ମୁଖ-ତାମରସ

ମୁଗ୍ଧ ହୋଇ ନିଜ ରୂପେ ଲଭନ୍ତି ହରଷ ।

 

ନଦୀ କୂଳେ ସରୋବର ତୀରେ

ସରଳା କୁମାରୀଚୟ ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକାମନ୍ଦିରେ,

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।

Image

 

ସୀତା ବନବାସ

 

ଅଗ୍ରଜ-ଆଜ୍ଞାବହ ସୌମିତ୍ରି ରଥୀ

ରାମ-ହୃଦୟ-ଜ୍ୟୋତ୍ସ୍ନା ବୈଦେହୀ ସତୀ

ବିସର୍ଜି ଭାଗୀରଥୀ ତୀର କାନନେ

ଲେଉଟାଇଲେ ରଥ ଅଥୟ ମନେ ।

ଘନ ଘନ ଲୋତକଧାରା ନୟନୁ

ଝରି ତିନ୍ତିଲା ବକ୍ଷ ତିନ୍ତିଲା ଧନୁ ।

ଘୋର ଘର୍ଘର ଘୋଷେ ପୂରି କାନନ

ଚଳିଲା ହାହାରବେ ଯେହ୍ନେ ସ୍ୟନ୍ଦନ ।

କମ୍ପି ଉଠିଲେ ବିଶ୍ୱମ୍ଭରା ଜନନୀ,

ଋଷିଲେ ଗଙ୍ଗା ରଘୁକୁଳପାବନୀ,

ଜୀମୂତ ଆବରଣେ ଦେବ ଭାସ୍କର

ଲୁଚିଲେ ତମୋମୟ କରି ଅମ୍ବର ।

ହେଲା ସେ ରଥ ଯହୁଁ ଦୃଷ୍ଟି ଅତୀତ,

ପତିପ୍ରାଣା ଜାନକୀ ହେଲେ ମୂର୍ଚ୍ଛିତ,

ବାତାହତ କନକପ୍ରତିମା ପରି

ପଡ଼ିଲେ ମହୀତଳେ ରଘୁସୁନ୍ଦରୀ ।

ମିହିରକୁଳଲକ୍ଷ୍ମୀ ମୈଥିଳୀଦଶା

ଦେଖିଣ ଭାଗୀରଥୀ ଦୁଃଖେ ବିବଶା,

ତ୍ୱରିତ ବଧୂ ମୋହ ବିନାଶ ଆଶେ

ଶୀକରଶୀତବାୟୂ ପେଷିଲେ ପାଶେ ।

ଚେତନା ଲଭି ଦେବୀ ବହୁତ କ୍ଷଣେ

ଏକାକିନୀ ସେ ଘୋର ବିଜନ ବନେ,

ମରମଭେଦୀ ଶୋକେ ହୋଇ ବିକଳ

କହିଲେ ସାଧ୍ୱୀ ବର୍ଷି ଲୋତକଜଳ ।

‘ଚରଣପଦ୍ମ ତଳୁ, ଦୟାସାଗର !

ସତେ କି ଏ ଦାସୀକି କଲ ଅନ୍ତର ?

‘କେମନ୍ତେ କହ, ପ୍ରଭୁ ! ବଞ୍ଚିବି ଦିନ

‘‘ହରାଇ ଯେ ଯୁଗଳ ପଦନଳିନ ?

‘କାହା ଶରଣ କହ, ହେ ରଘୁରାଜ !

ଜାନକୀ ଅଭାଗୀନି ପଶିବ ଆଜ ।

‘ଭୟେ ଅସ୍ଥିର ଯେବେ ହେବ ହୃଦୟ,

‘‘କିଏ ଅଭୟ ଦେବ ହେ ଦୟାମୟ ?

ଦାବାଗ୍ନିରୂପେ ଯେବେ ଦୁଃଖ-ଅନଳ

ଦହିବ ହୃଦବନ ହୋଇ ପ୍ରବଳ-

‘କିଏ ହେ ନାଥ, ସ୍ନେହସଲିଳ ଦାନେ

ଶୀତଳ କରିବ ଏ ଦଗ୍ଧ ପରାଣେ ।

ଆଉ କି ପ୍ରଭୁ ! ଏହି ଦଗ୍ଧ ନୟନ

ଦେଖିବ ନାହିଁ ସେହି ସୌମ୍ୟ ବଦନ ?

ଆଉ କି ଏ ଜନମେ ଏ ଅଭାଗୀନି

ଏ ଦଗ୍ଧ ବକ୍ଷେ ରଖି ସେ ପାଦ ବେନି

‘ଶମିବ ନାହିଁ କହ, ହେ ରଘୁପତି !

ହୃଦୟ ଜ୍ଜ୍ୱାଳା ତାର, ଦାରୁଣ ଅତି ?

‘ଆଉ କି, ଜୀବିତେଶ ! ସେ ପାଦତଳେ

ଅଭାଗୀନି ଜାନକୀ ବସି ବିରଳେ

‘ଶୁଣିବ ନାହିଁ ସେହି ମଧୁର ଭାଷା ?

‘‘ଦାସୀ ପକ୍ଷେ କି ପ୍ରଭୁ ଶେଷ ଏ ଆଶା ?

‘ଏ ପୋଡ଼ା ପ୍ରାଣେ ଆଉ କି ପ୍ରୟୋଜନ ?

‘‘ତୁମ୍ଭ ବିନା ଏ ବିଶ୍ୱ ଜୀର୍ଣ୍ଣ କାନନ ।

ଅଭାଗୀନିକୁ ଯେ ତରୀରେ ଦେବର

‘ଆଣିଲେ ବହି ଏହି ବନ ଭିତର,

‘ଭାସଇ ଏକା ଆହା ଜାହ୍ନବୀ ଜଳେ,

କର୍ଣ୍ଣଧାର ବିହୁନେ କମ୍ପେ ବିକଳେ ।

‘ପ୍ରବଳ ପ୍ରଭଞ୍ଜନ ଯୋଗେ କରାଳ,

କ୍ଷଣେ ଗ୍ରାସିବେ ତରୀ ରତଙ୍ଗମାଳ ।

ନତୁବା ଫିଙ୍ଗି ତାକୁ ତଟ ଉପର

ନାଶିବେ ଚୂର୍ଣ୍ଣ କରି ତା କଳେବର ।

ଆଜି ଏ ଭବଜଳେ ଏ ଦଶା ସିନା

ଅଭାଗୀନିର ପ୍ରଭୁ, ସେ ପଦ ବିନା ।

‘ସେ ପଦ ବିନା ଆହେ ରାଘବପତି,

କାହିଁ ଏ ପାପୀୟସୀ ଦାସୀର ଗତି ?

‘ଅତି କୋଠର ପ୍ରଭୁ ଦାସୀର ଜୀବ,

ବଞ୍ଚିଛି ଯାହା ଛାଡ଼ି ପଦରାଜୀବ !

‘ଏତିକି ଭିକ୍ଷା, ନାଥ, ଯେହ୍ନେ ପ୍ରାଣାନ୍ତେ

ଦାସୀ ପାଇବ ସ୍ଥାନ ସେ ପଦ ପ୍ରାନ୍ତେ ।

ଏମନ୍ତ ଭାଷି ଶୋକେ ବିହ୍ୱଳ ଅତି,

କୁରରୀ ପ୍ରାୟ ଉଚ୍ଚେ କାନ୍ଦିଲେ ସତୀ ।

ଦେବୀଙ୍କ ଦୁଃଖେ ବନସ୍ଥଳୀ କାତର

କାନ୍ଦିଲା ବହୁ ପ୍ରତିଧ୍ୱନି ଛଳର ।

‘ତେଜିଲେ ନୃତ୍ୟ ବର୍ହିକୁଳ ବିକଳ,

‘ହରିଣୀଏ ଛାଡ଼ିଲେ ତୃଣ କବଳ,

ମହୀରୁହନିବହ ପୁଷ୍ପ ଭୂଷଣ

ଫିଙ୍ଗିଲେ ଅଙ୍ଗୁ ମହୀତଳେ ତକ୍ଷଣ ।

କୁଶ ସମିଧ ପୂତ ହୋମସାଧନ

ଆହରିବା ଆଶୟେ ଭ୍ରମୁ କାନନ

ପୁରାଣ କବି ବୃଦ୍ଧ ମୁନି ଈଶ୍ୱର-

(ଗଗନ ବନେ କ୍ରୂର ନିଷାଦ ଶର-

ବିଦ୍ଧ କ୍ରୋଞ୍ଚ ବିହଙ୍ଗ ଅବଲୋକନେ

ଶୋକ-ଉଚ୍ଛ୍ୱାସ ଯାର ବହିଣ ଘନେ

ଶ୍ଳୋକରୂପେ ମୋହିଲା ସର୍ବ ଅବନୀ)

ଚକିତେ ଶୁଣିଲେ ସେ କ୍ରନ୍ଦନଧ୍ୱନି ।

ମିଳିଲେ ଯାଇ ଯହିଁ ଏକା ସୁନ୍ଦରୀ

ଗଗନେ ରାହୁ ଗ୍ରାସେ ଶଶାଙ୍କ ପରି ।

ପୋଛିଣ ଅଶ୍ରୁଧାରା ଭକତିଭରେ

ନମିଲେ ରଘୁବଧୂ ମୁନି ପୟରେ ।

ଗର୍ଭଲକ୍ଷଣ ଦେଖି ମୁନି ପୁଙ୍ଗବ

‘‘ବିଶାଳଯଶା ବୀର ତନୟ ଲଭ ।’’

ଏମନ୍ତ ସୁଆଶିଷ ମୁନି ପ୍ରଦାନି

ଭାଷିଲେ ଶାନ୍ତଚେତା ସାନ୍ତ୍ୱନା ବାଣୀ ।

‘ଜାଣିଲି ଧ୍ୟାନେ, ସତି, ରାବଣ-ଅରି

ତେଜିଲେ ତୋତେ ମିଥ୍ୟାପ୍ରବାଦେ ଡରି

ସଖା ମୋହର, ବତ୍ସେ, ତୋର ଶ୍ୱଶୁର,

ବ୍ୟାପିଛି ଯାର ଯଶ ଏ ତିନିପୁର ।

ଜ୍ଞାନିଜନମାନଙ୍କ ହିତକାରକ

ମୋହମୟା-ସଂସାର-ଦୁଃଖନାଶକ

ମିଥିଳାନାଥ ମୁକ୍ତିତତ୍ତ୍ୱଦରଶୀ

ପିତା ତୋହର ରାଜଶ୍ରେଷ୍ଠ ରାଜର୍ଷି ।

ତୁ ପୁଣି ସତୀକୁଳ ଅଗ୍ରତେ ସ୍ଥିତ,

ତେଣୁ ତୋ ଦୁଃଖେ ମୁହିଁ ଅତି ଦୁଃଖିତ ।

ଘେନ ଆଶ୍ରୟ, ବତ୍ସେ, ନିର୍ଭୟ ମନେ

ହୃଦବିକାର ନାଶି ଏ ତପୋବନେ ।

ଋଷି ସଙ୍ଗ ପ୍ରଭାବେ ଶ୍ୱାପଦେ ଯହିଁ

ନିରୀହ ଶାନ୍ତଭାବେ ଅଛନ୍ତି ରହି ।

‘ଏଥି ଗୋ ରଘୁବଧୂ, ତୋର କୁମାର

ଲଭିବେ ବିଧିମତେ ଜାତସଂସ୍କାର ।

‘ମୁନି ଆଶ୍ରମେ ପୂର୍ଣ୍ଣ ତମସା ତୀର,

ସଂସାର-ତମୋନାଶୀ ଏ ନଦୀ ନୀର ।

‘ଅବଗାହିଣ ତହିଁ ନିତ୍ୟ ସୈକତେ,

ସମ୍ପାଦି ବଳିକ୍ରିୟା ବିଦାନମତେ,

‘ଚିନ୍ତା ଉଦ୍ବେଗ ମନୁ କର ଗୋ ଦୂର,

ଭୁଞ୍ଜ ନିର୍ମଳ ଶାନ୍ତି ସୁଖ ପ୍ରଚୁର ।

ନୀବାର ବୀଜ ଜାତ ବିନା କର୍ଷଣେ

ଯତ୍ନେ ଆହରି ଫଳ ପୂଜା ସୁମନେ,

ତୋ ନବ ଶୋକ ମୁନିକୁମାରୀଗଣ

ହରିବେ ଭାଷି ମୃଦୁ ମଧୁ ବଚନ ।

ଆଶ୍ରମର ତରୁଣ ତରୁନିକରେ

ଯତନେ ବଢ଼ାଇଣ ଘଟଜଳରେ,

ନିରେଖିବ ଆଗରୁ ତନୟ ମୁଖ

ଲଭିବୁ ତନୟର ପାଳନ-ସୁଖ ।

ଭାଷି ଏସନ ବୃଦ୍ଧ ଯତିପ୍ରବର

ନେଲେ ସୀତାଙ୍କୁ ତପୋବନ ଭିତର,

ସାୟାହ୍ନେ ବେଦୀ ଚଉଦିଗେ ଶୟାନ

ରୋମନ୍ଥେ ରତ ଯହିଁ କୁରଙ୍ଗମାନ ।

ବେଗେ ଆସିଣ ମୁଗ୍ଧ ମୁନିକୁମାରୀ

ଅଞ୍ଚଳେ ପୋଛି ସୀତା ନୟନବାରି

ସାନ୍ତ୍ୱନା ବାକ୍ୟେ ରଘୁକାନ୍ତା ହୃଦୟ

ପ୍ରବୋଧି ଘେନିଗଲେ ନିଜ ନିଳୟ ।

Image

 

ନିଶୀଥ–ଚିନ୍ତା

 

କାହିଁ ଏବେ ସେ ଚହଳ, ଯାର ଘୋର ରୋଳ

କରିଥିଲା ଏତେକାଳ ଶ୍ରବଣ ବଧିର !

କାହିଁ ସେହି ଚଞ୍ଚଳତା-ଲହରୀ-ହିଲ୍ଲୋଳ,

ଯାହା ଘେନି ଜୀବକୁଳ ସତତ ଅଧୀର !

ନାହିଁ ସେହି ଚଞ୍ଚଳତା, ନାହିଁ ସେ ଚହଳ ।

କଣ୍ଠେ ତାରାମୟ ହାର ରଜନୀ ସୁନ୍ଦରୀ

(ଅଟେ ଯହିଁ ମଧ୍ୟମଣି ଇନ୍ଦୁ ସୁନିର୍ମଳ)

କୌମୁଦୀ ବସନେ ସ୍ୱର୍ଗଧାମୁଁ ଇନ୍ଦୁ ଅବତରି

ବରଷନ୍ତି ଶିଶିରାଶ୍ରୁ ପ୍ରେମେ ବିଭୁ ମହିମା ସୁମରି ।

ସୁନୀଚ କୁଟୀର କିମ୍ବା ତୁଙ୍ଗ ରାଜାଳୟ,

ସାଗରର ବକ୍ଷ ଅବା ପର୍ବତଶିଖର,

ବିଳାସଭବନ, କାରାଗାର ତମୋମୟ,

ବିଜନ କାନନ କିମ୍ବା ସଜନ ନଗର,

ନୀରବ ଭାବରେ ସବୁ ଏକାଳରେ ସ୍ଥିତ;

ବିଭୁଙ୍କ ଗମ୍ଭୀରଦେଶ ଶବଣ କାରଣ

ପ୍ରେମାବେଶେ ଆହା ଯେହ୍ନେ ସର୍ବେ ଅବହିତ !

ସହସା ହେଲା କି ସ୍ୱର୍ଗ ଏ ଭବ ଭବନ

ଭାବୁକ କଳ୍ପନା ଏବେ ମୁଗ୍ଧ ହୋଇ ପାଞ୍ଚଇ ଏସନ ।

ହିତକାରୀ ନିଦ୍ରାଦେବୀ ବିରାମଦାୟିନୀ

ବାହ୍ୟଜ୍ଞାନ ମନୁଷ୍ୟର ହରି ମୃଦୁ ବଳେ,

ସଙ୍ଗେ ଘେନି ସ୍ୱପ୍ନଦେବୀ ଭ୍ରାନ୍ତି-ବିଳାସିନୀ

ଜଗତରେ ଆଦିପତ୍ୟ କରନ୍ତି ବିରଳେ ।

ସ୍ୱପ୍ନ ମାୟାବଳେ ଦୁଃଖୀ ଅନାଥ ନିର୍ଦ୍ଧନ

ଚିନ୍ତାଶ୍ରୁ ପାସୋରି ଭୋଳେ ଭୁଞ୍ଜେ ରାଜସୁଖ

ସନ୍ତାନବିହୀନା ନାରୀ ଚୁମ୍ବେ ପୁତ୍ରମୁଖ ।

ବୈଧବ୍ୟବିଧୁରା ବାଳା ଲଭି ଆଲିଙ୍ଗନ

ପ୍ରାଣପତି ଉତ୍ସଙ୍ଗରେ କୁତୂହଳେ କରଇ ଶୟନ ।

ଶୂନ୍ୟାସନେ ଶାନ୍ତିଦେବୀ ଧବଳବସନା

ଧରି କରକମଳରେ ଦଣ୍ଡ ଜ୍ୟୋତ୍ସ୍ନାମୟ

ସୁପବିତ୍ର ସ୍ୱରେ ସତୀ ଅମୃତବଚନା

ଏ ଗମ୍ଭୀର ଉପଦେଶ ସତ୍ୟ ସୁଧାମୟ

ଢାଳୁଛନ୍ତି ଜ୍ଞାନିଜନମାନଙ୍କ ଶ୍ରବଣେ-

କେତେକାଳ ଭୁଲିଥିବ ଶାନ୍ତି ନିକେତନେ,

କେତେକାଳ ମୁଗ୍ଧ ହୋଇ ରହିବ ସଂସାରେ,

ବାଞ୍ଛା ଯଦି ନିତ୍ୟ ସୁଖ, ଆର୍ତ୍ତ ହାହାକାରେ

ଆଶ୍ରା କର ଧର୍ମପଥ, ପଡ଼ ଯାଇ ବିଭୁଙ୍କ ଚରଣେ ।

Image

 

ଆକାଶ ପ୍ରତି

 

ଅନନ୍ତ ଅପାର ତୁହି ରେ ମହା ଆକାଶ,

ପୃଥିବୀର କୀଟ ମୁହିଁ କ୍ଷୁଦ୍ରବୁଦ୍ଧି ନର ।

କି ମହାନ କି ଗମ୍ଭୀର ତୋହର ପ୍ରକାଶ,

ଭାବିଲେ ସ୍ତବଧ ଚିତ୍ତ ହୁଅଇ ମୋହର ।୧।

ନ ଥିଲା ରେ ଯେତେବେଳେ ବିଚିତ୍ର ଭୁବନ,

ନ ଥିଲା ଏ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରାବଳୀ,

ନ ଥିଲା ଧରଣୀ ଏହି ଭୂତନିକେତନ,

ଅନନ୍ତ ଅନ୍ଧାରେ ପୂର୍ଣ୍ଣ ଥିଲା ସର୍ବସ୍ଥଳୀ ।୨।

ଅନନ୍ତ ନିବିଡ଼ ଘୋର ଅନ୍ଧକାରମୟ,

ଥିଲା ବିଶ୍ୱ ରୂପ-ରେଖ-ଶୂନ୍ୟ ନିରାକାର ।

ନିସ୍ତରଙ୍ଗ ଥିଲା ଯେବେ ଅନନ୍ତ ସମୟ,

ଘଟନାବିହୀନ ଘୋର କାଳ-ପାରାବାର ।୩।

ନ ଥିଲା ଯେ କାଳେ ସୃଷ୍ଟି-ଲୀଳା ଜଗତର,

କେବଳ ଜାଗ୍ରତ ଥିଲେ ଅନାଦିକାରଣ,

ଦେଶକାଳାତୀତ ବାକ୍ୟ-ମନ-ଅଗୋଚର,

ଅନନ୍ତ ଚୈତନ୍ୟମୟ ବହ୍ମ ସନାତନ ।୪।

ସେ କାଳରେ ଅବଲମ୍ବି ଅନାଦିକାରଣେ

ଅସୀମ ଆକାଶ, ତୁହି ମହାମହିମାରେ

(ସେ ମହିମା, ସ୍ତବ୍ଧ ଚିତ୍ତ ଯାହାର ଚିନ୍ତନେ !)

ବିରାଜିତ ଥିଲୁ ବେଢ଼ି ଅନନ୍ତ ଅନ୍ଧାରେ ।୫।

ସହସା ପ୍ରଥମ ଊର୍ମି ମହାକାଳ-ନୀରେ

ଖେଳିଲା ଅନନ୍ତ ମହାମହେଶ-ଆଦେଶେ,

ସହସା ପ୍ରକାଶେ ଜ୍ୟୋତି-ଧାରା ତୋ ଶରୀରେ,

ଶୁଭ୍ର ମନ୍ଦାକିନୀ ଯଥା ବ୍ୟୋମକେଶ କେଶେ ।୬।

ସାକ୍ଷୀ ତୁହି ରେ ଗଗନ, ସୃଷ୍ଟି ପ୍ରକ୍ରିୟାର,

ଦେଖିଲୁ କେମନ୍ତେ ଜ୍ୟୋତି ଭେଦି ତମୋରାଶି

ପ୍ରକାଶିଲା କୋଟି କୋଟି ସୁନ୍ଦର ସଂସାର,

ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା ତୋ ଦେହେ ବିନ୍ୟାସି ।୭।

ପୃଥିବୀ ଜନମ ତୁହି ଦେଖିଲୁ ଗଗନ,

ଜଳ-ସ୍ଥଳ-ଅଗ୍ନି-ବାୟୁ-ସଂଗ୍ରାମ ଭୈରବ ।

ଦେଖିଲୁ ହିମାଦ୍ରି ଆଦି ଗିରି ଉନ୍ନମନ,

ଅଚଳ ଶିଖର ନଦ ନଦୀର ଉଦ୍ଭବ ।୮।

 

ପୁଷ୍ପର ପ୍ରଥମ ହାସ୍ୟ ତୋହରି ଗୋଚର,

ପ୍ରଥମ ଜୀବର ସୃଷ୍ଟି ତୋର ସନ୍ନିଧାନେ,

ସୃଷ୍ଟି ଆଦି ନର ନାରୀ ଅଗ୍ରତେ ତୋହର,

ସର୍ବଦର୍ଶୀ ଅଟୁ ତୁହି ବିଧିର ବିଧାନେ ।୯।

ଅତୀତର ଇତିହାସ କେ ଜାଣେ ତୋ ପରି,

ସୁଖଦୁଃଖମୟ ଯେତେ ଘଟନାନିଚୟ

ଘଟିଛି ଜଗତେ, ସବୁ ବିଦିତ ତୋହରି,

ତୋ ଅଗ୍ରତେ ରାଜ୍ୟନାଶ, ରାଜ୍ୟ ଅଭ୍ୟୁଦୟ ।୧୦।

ବଳିଷ୍ଠର ଅତ୍ୟାଚାର, ଦୁର୍ବଳ-ଦୁର୍ଗତି,

ସ୍ୱାର୍ଥ ଦ୍ୱେଷ ଲୋଭାଦିର କ୍ରୂର ପ୍ରବଞ୍ଚନା,

ଦେଖିଛୁ ସକଳ, ବ୍ୟୋମ ଗମ୍ଭୀରମୂରତି,

ତୋପରି ବୁଝିବ କିଏ ପୃଥିବୀ ବେଦନା ।୧୧।

ଆଦି ସୃଷ୍ଟି କାଳୁ ଅବଗାହି ଜ୍ୟୋତି ଜଳେ

କି ସୁନ୍ଦର କି ଉଦାର ଦେହଶ୍ରୀ ତୋହର !

କହ ବ୍ୟୋମ, କିଏ ଅଛି ଏ ବିଶ୍ୱମଣ୍ଡଳେ,

ତୋ ରୂପେ ନୁହଇ ମୁଗ୍ଧ ଯାହାର ଅନ୍ତର ।୧୨।

ସକଳ ସୌନ୍ଦର୍ଯ୍ୟଲୀଳା ତୋହରି ଉତ୍ସଙ୍ଗେ,

ନିତ୍ୟ ଲୀଳାଭୂମି ତୁହି କବିତା-ଦେବୀର,

ନାଚଇ ଅଗଣ୍ୟ ବିଶ୍ୱ ନିତ୍ୟ ଲୀଳାରଙ୍ଗେ

ତୋ ମହାସୁନୀଳ ବକ୍ଷେ ଶାସନେ ବିଧିରେ ।୧୩।

କେତେ ବେଶ ଧରି ବ୍ୟୋମ ହେଉ ପ୍ରକାଶିତ,

କେତେବେଳେ ଦିଗମ୍ବର ତୁହି ନୀଳାମ୍ବର,

ନକ୍ଷତ୍ର ଶଶାଙ୍କେ କେବେ ତୋ ଦେହ ଭୂଷିତ,

କେବେ ମେଘ-ଆଡ଼ମ୍ବରେ ଦିଶୁ ଭୟଙ୍କର ।୧୪।

ସୁହାସିନୀ ଉଷାଦେବୀ ଆଲୋକ-ନନ୍ଦିନୀ

ବନ୍ଦେ ଭକ୍ତିଭରେ ଯେବେ ତୋର ପଦତଳେ,

ସହସା ହସଇ ଜାଗି ଉଲ୍ଲାସେ ମେଦିନୀ,

ଲାବଣ୍ୟ-ଲହରୀ ଉଛୁଳଇ ଜଳେ ସ୍ଥଳେ ।୧୫।

ସହସା କଟାକ୍ଷେ ତୋର ରବି ଜ୍ୟୋତିର୍ମୟ

ରଞ୍ଜଇ ଧରଣୀମୁଖ କନକ-କିରଣେ,

ସହସା ଫୁଟଇ ଫୁଲ ବହଇ ମଳୟ,

ବିହଙ୍ଗ ସଙ୍ଗୀତ ଗାଏ ସୁମଧୁର ସ୍ୱନେ ।୧୬।

ରଞ୍ଜିତ ଜଳଦ-ମଞ୍ଚୁ ଯେବେ ଅବତରି

ବୁଡ଼ଇ ପଶ୍ଚିମେ ଭାନୁ କୋଳରେ ତୋହର,

ଧୀରେ ଧୀରେ ଅନ୍ଧକାର ଚୌଦିଗେ ଆବରି

ମଣ୍ଡଇ ନକ୍ଷତ୍ରମାଳେ ତୋର କଳେବର ।୧୭।

କି ଗମ୍ଭୀର କି ପ୍ରଶାନ୍ତ ଭାବ ଶର୍ବରୀରେ

ଜାଗଇ ଭାବୁକ ମନେ ତୋର ଦରଶନେ,

କି ମହାନୀରବ ବେଦ ପ୍ରଚାରୁ ଗମ୍ଭୀରେ,

ଶୁଣଇ ନୀରବ ବିଶ୍ୱ ଭୟସ୍ତବ୍ଧ ମନେ ।୧୮।

କୌମୁଦୀ-ଚର୍ଚ୍ଚିତ ତୋର ନୀଳ କଳେବର

ପ୍ରଶାନ୍ତ ପବିତ୍ର ମୂର୍ତ୍ତି ଭୁବନମୋହନ,

ନିମେଷେ କରଇ ଆହା କୁତ୍ସିତେ ସୁନ୍ଦର,

ଦର୍ଶନେ ପବିତ୍ର କରେ କଳୁଷିତ ମନ ।୧୯।

ଗଭୀର ନିଶିଥ କାଳେ ନିଦ୍ରିତା ଧରଣୀ

ସ୍ୱପନେ ତୋ ମହାମୂର୍ତ୍ତି କରେ ଦରଶନ,

ହସଇ ନୀରବେ ତେଣୁ ମହାନନ୍ଦେ ଧନୀ,

ସୁପ୍ତ ଶିଶୁ ଦେଖି ଯେହ୍ନେ ସ୍ୱର୍ଗୀୟ ସ୍ୱପନ ।୨୦।

ଧନ୍ୟ ଧନ୍ୟ ରେ ଆକାଶ, ଧନ୍ୟ ତୋ ମହିମା,

ମହାଭାବ ଉପୁଜଇ ତୋର ଦରଶନେ,

ଉଦାର ପ୍ରଶାନ୍ତ ତୋର ଅନନ୍ତ ନୀଳିମା

ସଂସାରର କ୍ଷୁଦ୍ରଭାବ ବିନାଶଇ କ୍ଷଣେ ।୨୧।

ମୁହୂର୍ତ୍ତକେ ଘେନୁ ମୋତେ ରେ ମହାଗଗନ,

ପରମାତ୍ମା ପ୍ରାଣସଖା ମହେଶ ଶ୍ରୀପଦେ,

ମହାପ୍ରେମାବେଶେ ଅଶ୍ରୁ ବର୍ଷେ ମୋ ନୟନ,

ଲଭଇ ମୁଁ ସ୍ୱରଗର ଆନନ୍ଦ ସମ୍ପଦେ ।୨୨।

Image

 

ଜୀବନଚିନ୍ତା

 

ରେ ଆତ୍ମନ୍‍ ! ନିଦ୍ରା ପରିହରି

ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ,

ନିଃଶଦ୍ଦେ ଜୀବନସ୍ରୋତ ଧାଉଁଛି କିପରି

ଭେଟିବାକୁ ମୃତ୍ୟୁ ସିନ୍ଧୁ-କରାଳ-ଲହରୀ ।୧।

କି ବେଗରେ ଯାଉଅଛି ଚାଲି

ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି,

ଯାହାର ସ୍ମରଣେ ନର ଶୋକଶ୍ୱାସ ଢାଳି

ଅତୀତକୁ ଉଦ୍ବୋଧଇ ବୃଥା ଭାଳି ଭାଳି ।୨।

ସ୍ୱପ୍ନ ସମ ନିଦ୍ରା-ପାରାବାରେ

କ୍ଷଣକେ ହୁଅଇ ଲୀନ ଗର୍ବ ଦମ୍ଭ ଅଭିମାନ

ସଂସାରର ଆଡ଼ମ୍ବର ବୁଦ୍ବୁଦ ଆକାରେ,

ସକଳ ଗ୍ରାସଇ କାଳ-ମୁଖ ନିର୍ବିଚାରେ ।୩।

ସେ ସିନ୍ଧୁ-ତରଙ୍ଗ ମୁଖ ପ୍ରତି

ଆକୃଷ୍ଟ ଅଦୃଶ୍ୟଭାବେ ହେଉଅଛି ସବୁ ଭବେ,

ମୃଦୁ ନିର୍ଝରିଣୀ, ମହାବେଗା ସ୍ରୋତସ୍ୱତୀ,

ସୁଦିନ ମନୁଷ୍ୟ, ମହାଯଶା ମହୀପତି ।୪।

ଭବସିନ୍ଧୁ ମାୟାଶୈଳମୟ,

ସମସ୍ତ ଛଳନାପୂର୍ଣ୍ଣ, ସେ ଶୈଳେ ସର୍ବଦା ଚୂର୍ଣ୍ଣ

ହୁଅଇ ଆଶାର ତରୀ, କାମନାନିଚୟ

ବିଫଳ ସତତ, ଚିତ୍ତ ନୈରାଶ୍ୟ-ଆଳୟ ।୫।

ଜଗତର ଲୋଚନନନ୍ଦନ

ଯୁବତୀର ରକ୍ତାଧର, ରମ୍ୟ ଜ୍ୟୋତି ନୟନର,

ସ୍ୱର୍ଣ୍ଣ ଘନ ସମ ବକ୍ଷ, ଚାରୁ ପଦ୍ମାନନ,

ଇନ୍ଦ୍ରଧନୁ ଶୋଭା ସମ ପଳାନ୍ତି ବହନ ।୬।

ଯୁବକର ତେଜ ବୀର୍ଯ୍ୟ ବଳ,

ପ୍ରୌଢ଼ର ଚତୁର ଜ୍ଞାନ, ସୁକୌଶଳ କାର୍ଯ୍ୟମାନ,

କାଳର ପ୍ରଭାବେ ଦିନେ ହୋଇବ ବିଫଳ,

କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ ।୭।

ଧନ ମାନ ଯଶ ଆଦି ଯାହା

ଭାଗ୍ୟଦେବୀ ପ୍ରସାଦରେ ଏ ଭବେ ଲଭନ୍ତି ନରେ,

କାଳଚକ୍ର ଆବର୍ତ୍ତନେ କି ବେଗରେ ଆହା

ପଳାନ୍ତିରେ ଅନୁସରି ନିଜ ନିଜ ରାହା ।୮।

 

 

ବିମୋହନ ମନ୍ମଥ ବିଳାସ

ଟାଣେ ମନ ମାୟାଯନ୍ତ୍ରେ, ଭୁଲାଏ କପଟ ମନ୍ତ୍ରେ,

କୌଶଳେ ଜନ୍ମାଇ ଚିତ୍ତେ କ୍ଷଣିକ ଉଲ୍ଲାସ

ରିପୁକୁଳ ବିପ୍ଳବକୁ କରାଏ ପ୍ରକାଶ ।୯।

ଆତ୍ମାରାଜ୍ୟେ ସେ ଭୀମ ବିପ୍ଳବେ

ଧର୍ମର ପୁଣ୍ୟ ରାଜତ୍ୱ, ପ୍ରଜ୍ଞାର ମହତ ତତ୍ତ୍ୱ

ହୁଏ ପରାହତ, ପାପ ଗର୍ଜଇ ଭୈରବେ,

ପଳାୟନ କରେ ଶାନ୍ତି ସେହି ଉପଦ୍ରବେ ।୧୦।

ମୁକୁଟମଣ୍ଡିତ ରାଜଶିର

ନୁହଇ ଶାନ୍ତି-ଆସ୍ପଦ, ଆଶଙ୍କା ଭୟ ବିପଦ

ନିରନ୍ତର ରାଜମନ କରଇ ଅସ୍ଥିର ।

ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର ।୧୧।

ଏ ସଂସାରେ ନାହିଁ ସୁଖ ଶାନ୍ତି.

ଅହଙ୍କାର ଦ୍ୱେଷ ରୋଷ ଲୋଭ ମୋହ ଅସନ୍ତୋଷ

ଦୁଷ୍ଟ ରିପୁକୁଳ ଘୋର ଅନର୍ଥ ଘଟାନ୍ତି,

ପାପର ଭୀଷଣାବର୍ତ୍ତେ ନରେ ନିକ୍ଷେପନ୍ତି ।୧୨।

 

 

କାହିଁ ଶାନ୍ତି, କାହିଁ ନିତ୍ୟସୁଖ,

ଯାହା ଲଭିବାର ଲାଗି ଅଛି ଅବିରତ ଜାଗି

ଚିତ୍ତଗୃହେ ଆଶାଦ୍ୱୀପ ଉଜ୍ଜ୍ୱଳମୟୂଖ,

କାହିଁ ଗଲେ ପାସୋରିବ ମୃତ୍ୟୁ ପାପ ଦୁଃଖ ।୧୩।

ରେ ହୃଦୟ ! ନ ହୁଅ କାତର,

ସଂସାରର ବିଡ଼ମ୍ବନା ପାପ ସନ୍ତାପ ଯାତନା

ବିପଦ ଦୁର୍ଦ୍ଦିନତମ ଘୋର ଭୟଙ୍କର

ନିରେଖି ନିରାଶାବିଷେ ନ ହୁଅ ଜର୍ଜର ।୧୪।

ଧର ଧୈର୍ଯ୍ୟ ଘେନରେ ସାନ୍ତ୍ୱନା,

ଅଛି ସେହି ମହାଧନ, ସେ ମହାସ୍ପର୍ଶରତନ,

ସେ ଅମୃତ ମହୌଷଧ, ଯାହାର କାମନା

ଆଶା, ଜାଗ୍ରତ ସତତ, କରେ ଉଦ୍ଦୀପନା ।୧୫।

ସ୍ଥିର ହୁଅରେ ଚଞ୍ଚଳ ମନ,

ଘେନ ମହାତତ୍ତ୍ୱ ଦୀକ୍ଷା, ଜୀବର ପରମ ଶିକ୍ଷା,

ତେବେରେ ଲଭିବୁ ସେହି ପ୍ରାଣାରାମ ଧନ,

ଆକଚଳ ହୃଦୟ କରେ ଯାର ଅନ୍ୱେଷଣ ।୧୬।

 

 

ଧୂଳିର ଏ ମର କଳେବର,

ଅହୋ ମାନବ ଜୀବନ କି ଅଦ୍ଭୁତ ଉଦ୍ଭାବନ !

ବିରାଜେ ଅମର ଆତ୍ମା ଦିବ୍ୟ ସୌନ୍ଦର୍ଯ୍ୟରେ,

କମଳ ଶୋଭଇ ଯଥା ପଙ୍କମୟ ସରେ ।୧୭।

ଏ ସଂସାର ଅନ୍ଧକାର ସ୍ଥାନ,

ଅନ୍ଧାରେ ହେଲେ ଜଡ଼ିତ ନ ହୁଅଇ ବିକସିତ

ଜୀବାତ୍ମା କୁସୁମ ଏଥି, ହୁଏ ମ୍ରିୟମାଣ

ହରାଇଣ ଦିବ୍ୟ ଶୋଭା ପ୍ରେମ ଭକ୍ତି ଜ୍ଞାନ ।୧୮।

ଦିବାକରେ ନିରେଖି ଗଗନେ

ହର୍ଷେ ଫୁଟେ ପଦ୍ମଫୁଳ, ତେସନେ ଆତ୍ମା ପ୍ରଫୁଲ୍ଲ

ଅନନ୍ତ ମଙ୍ଗଳାଳୟ ବଭୁ ଦରଶନେ,

ପୁଣ୍ୟର ତପନ ଯାହୁ ପାପର ଭୁବନେ ।୧୯।

ଯହିଁ ଦେବେ ଭୁଞ୍ଜନ୍ତି ଅମୃତ

ବିଭୁପାଦପଦ୍ମ ପାଶେ, ପୁଣ୍ୟ ଜ୍ୟୋତିର୍ମୟ ବାସେ,

ରୋଗ ପାପ ମୃତ୍ୟୁ ଆଦି ଯହିଁ ପରାଭୂତ,

ସେ ସୁଧାମ ଲାଗି ଆତ୍ମା ସଦା ପିପାସିତ ।୨୦।

 

 

ଏ ପିପାସା ନୁହଇ ନିବାରି

ଅସାର ସଂସାର ଜଳେ, ରିପୁଚୟ କୋଳାହଳେ

ନୋହେ ନିର୍ବାପିତ କେଭେ; ଏକା ଧର୍ମବାରି

ଶମଇ ଏ ମହା ଅଗ୍ନି ଅମୃତ ସଞ୍ଚାରି ।୨୧।

ତେବେ ଆରେ ଅସ୍ଥିର ହୃଦୟ,

ତ୍ୟଜ କୁତ୍ସିତ ବାସନା କର ତାଙ୍କ ଆରାଧନା,

ଧର୍ମରାଜ ପ୍ରଭୁ ଯେହୁ ମଙ୍ଗଳ-ଆଳୟ,

ଅମୃତଜୀବନଦାତା ବ୍ରହ୍ମାଣ୍ଡଆଶ୍ରୟ ।୨୨।

ପରିହରି ପାପ ପ୍ରଲୋଭନ

ଉଜ୍ଜ୍ୱଳ କର ବିଶ୍ୱାସ, ସ୍ୱାର୍ଥ ଅହଂକାର ନାଶ,

କର ରେ ହୃଦୟାକାଶ ନିର୍ମଳ ବହନ,

ତେବେ ରେ ଲଭିବୁ ଧର୍ମରସ ଆସ୍ୱାଦନ ।୨୩।

ପ୍ରୀତିମୟ ଜୀବନରତନ

ଦେବେ ତୋତେ ପରମେଶ, ତାଙ୍କର ପବିତ୍ରାଦେଶ

ନିଃସ୍ୱାର୍ଥ ପବିତ୍ର ଚିତ୍ତେ କର ରେ ସାଧନ,

ଜଗତର ହିତ ଅର୍ଥେ ଦିଅ ରେ ଜୀବନ ।୨୪।

 

 

ହେ ଈଶ୍ୱର ପତିତତାରଣ,

ପ୍ରାଣାରାମ ନିରଞ୍ଜନ, ଭୟବିଘ୍ନବିନାଶନ,

ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ,

ସଂସାରବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ ।୨୫।

ଆସ ନାଥ ଅଗତିର ଗତି,

ତୁମ୍ଭ ବିନା ଏ ସଂସାରେ ମରଇ ମୁଁ ହାହାକାରେ,

ତାର ମୋତେ ମହାପ୍ରଭୁ ଦେଇଣ ସୁମତି,

ଅନନ୍ତ ଦୟା ତୁମ୍ଭର, ଅନନ୍ତ ଶକତି ।୨୬।

Image

 

ଅଯୋଧ୍ୟା ପ୍ରତ୍ୟାଗମନ

(ସଂସ୍କୃତ ‘ରଘୁବଂଶ’ରୁ ଅନୂଦିତ)

 

ଏଥୁଅନ୍ତେ ଶବ୍ଦବହ ସୁନୀଳ ଅମ୍ବର

ପୁଷ୍ପକ ବିମାନେ ହେଲେ ଭେଦି ବୀରବର ।

ନୟନେ ପଡ଼ନ୍ତେ ରତ୍ନ-ଆକାର ଅର୍ଣ୍ଣବ,

ସୀତାଙ୍କୁ ଭାଷିଲେ ବାଣୀ ରହସ୍ୟେ ରାଘବ ।

ବିଦେହନନ୍ଦିନୀ, ଦେଖ ମଳୟ ପର୍ଯ୍ୟନ୍ତ

ବିଭକ୍ତ ସେତୁରେ ମୋର ସିନ୍ଧୁ ଫେନବନ୍ତ ।

ଯେସନେ ଶରଦେ ଚାରୁ ତାରାବିମଣ୍ଡିତ

ଗଗନ ଦିଶଇ ଛାୟାପଥେ ଦ୍ୱିଖଣ୍ଡିତ ।

ସମୁଦ୍ର ଉଦ୍ଭବ କଥା ଶୁଣ ରୂପବତି,

ଜନମିଲେ ଆମ୍ଭ କୁଳେ ସଗର ନୃପତି ।

ଆରମ୍ଭିଲେ ଯାଗ, ମେଧ୍ୟ-ତୁରଙ୍ଗ ତାଙ୍କର

ପାତାଳେ ବାନ୍ଧିଲେ ଇନ୍ଦ୍ର କପିଳପାଶର ।

ଅଶ୍ୱ ଅର୍ଥେ ମହୀତଳ ସଗରଙ୍କ ପୁଏ

ବିଦାରିଲେ, ତେଣୁ ଏହା ସାଗର ବୋଲାଏ ।

 

ଏ ସଲିଳ ଘେନି ଘନ ରଚନ୍ତି ତପନ,

ଜନ୍ମନ୍ତି ଏହାର ଗର୍ଭେ ବିବିଧ ରତନ ।

ବାଡ଼ବ-ଅନଳ ଏହା କରଇ ଧାରଣ,

ଏଥିରୁ ଗୋ ଇନ୍ଦୁମୁଖି, ଇନ୍ଦୁର ଜନମ ।

ଅନେକ ଅବସ୍ଥା ଭଜିଅଛି ପାରାବାର,

ଦଶଦିଗ ବ୍ୟାପିଅଛି ଏହାର ବିସ୍ତାର ।

କଳି ନୋହେ ଏହାର ସ୍ୱରୂପ ପରିମାଣ,

ବିଷ୍ଣୁଙ୍କ ପରାଏ ତାହା ଅତିକ୍ରମେ ଜ୍ଞାନ ।

କଳ୍ପ ଅନ୍ତେ ସର୍ବଲୋକ ସଂହାରି କେଶବ

କରନ୍ତି ଏଥିରେ ଯୋଗନିଦ୍ରା ଅନୁଭବ ।

ନାଭିପଦ୍ମାସନେ ପିତାମହ ସେ କାଳରେ

ବିଷ୍ଣୁଙ୍କୁ କରନ୍ତି ସ୍ତବ ସୁଗମ୍ଭୀର ସ୍ୱରେ ।

ପକ୍ଷ ଛେଦି ଗିରି ସର୍ବ ହରନ୍ତେ ବାସବ

ଆଶ୍ରିଲେ ଏହାର ଜଳ ମହୀଧର ସର୍ବ,

ଯେସନ ଶତ୍ରୁର ଭୟେ ଭୀତ ନୃପଗଣ

ମଧ୍ୟସ୍ଥ ଭୂପାଳଠାରେ ପଶନ୍ତି ଶରଣ ।

ଯେକାଳେ ବରାହରୂପେ ରସାତୁଳ ହରି

ଅବନୀ ଦେବୀଙ୍କୁ ହେଳେ ଥିଲେକ ଉଦ୍ଧାରି,

ଏହାର ବିମଳ ଜଳ ବଢ଼ି ପ୍ରଳୟରେ

ହୋଇଲା ଅବଗୁଣ୍ଠନ କ୍ଷଣେ ଭୂମୁଖରେ ।

ଜଳଜନ୍ତୁ ସହ ନଦୀମୁଖର ଜୀବନ

ଦୂରେ ତିମିବୃନ୍ଦ ମୁଖେ କରନ୍ତି ଗ୍ରହଣ ।

ସେ ମୁଖ ମୁଦିଲା ବେଳେ ରନ୍ଧ୍ର ଦେଇ ଜଳ

ଊର୍ଦ୍ଧ୍ୱକୁ ପ୍ରବାହରୂପେ ରସାତଳୁ ଅବିରଳ ।

ଗଜାକାର ଗ୍ରାହଗଣ ଭେଦି ଫେନରାଶି

ତରଙ୍ଗ ଉପରେ ଦେଖ ଉଠୁଛନ୍ତି ଭାସି;

ଦିଶୁଛି କପୋଳେ ଫେନପୁଞ୍ଜ ଲାଗିବାରୁ,

କର୍ଣ୍ଣେ ଯେହ୍ନେ ବିରାଜଇ ଚାମର ସୁଚାରୁ ।

ଆକାରେ ତରଙ୍ଗ ସମ ଅଜଗରଗଣ

ବାହାରି ଅଛନ୍ତି ପିଇବାକୁ ସମୀରଣ ।

ଦୂର କରେ ଫଣାମଣି ତରଙ୍ଗର ଭ୍ରାନ୍ତି,

ରବିକର ଯୋଗୁଁ ଯାର ବଢ଼ିଅଛି କାନ୍ତି ।

ତୁମ୍ଭ ବିମ୍ବାଧର ସମ ପ୍ରବାଳମାଳାରେ,

ପଡ଼ିଅଛି ଶଙ୍ଖଯୂଥ ତରଙ୍ଗବେଗରେ ।

ବଦ୍ଧ ଅଟେ ମୁଖ ତାର ପ୍ରବାଳ ଅଙ୍କୁରେ,

ତେଣୁ ବାହାରଇ ତାହା ଅତି ବିଳମ୍ବରେ ।

ସିନ୍ଧୁଜଳ ପିଇବାକୁ ପ୍ରବର୍ତ୍ତିଣ ଘନ

ଭଉଁରିବେଗରେ ଦେଖ ଭ୍ରମୁଛି କେସନ ।

ଏ ଛବି ଦେଖି ମନକୁ ଏମନ୍ତ ଆସୁଛି,

ସିନ୍ଧୁକୁ ମନ୍ଦରଗିରି କିଅବା ମନ୍ଥୁଛି ।

ନୀଳ ଦିଶେ ତୀର ତାଳୀ-ତମାଳମାଳରେ,

ଲୌହଚକ୍ର ସମ ସିନ୍ଧୁ ଅଟଇ ଆକାରେ,

ଚକ୍ରର କଳଙ୍କରେଖା ପ୍ରାୟ ସେହି ତୀର,

ଦୂରରୁ ଦିଶଇ ଦେଖ କେମନ୍ତ ରୁଚିର ।

କେତକୀରେଣୁରେ ଦେଖ ତୀର ସମୀରଣ

ତୁମ୍ଭ ମୁଖ ବିଶାଳାକ୍ଷି, କରୁଛି ମଣ୍ଡନ ।

ଚାହୁଁ ଚାହୁଁ ମୁହୂର୍ତ୍ତକେ ବିମାନ ବେଗରେ

ପହଞ୍ଚିଲା ଦେଖ ଆସି ବେଳାପ୍ରଦେଶରେ ।

ସେ ବେଳା ଶୁକ୍ତିନିର୍ଗତ ମୁକ୍ତାରେ ଶୋଭିତ,

ତହିଁରେ ଗୁବାକଶ୍ରେଣୀ ଫଳେ ଆନମିତ ।

ମୋର ଇଚ୍ଛା ଅନୁସରି ସଞ୍ଚରଇ ରଥ,

କେତେବେଳେ ଅବଲମ୍ବେ ଦେବତାଙ୍କ ପଥ,

କେଭେ ଘନପଥେ, କେଭେ ବିହଗମାର୍ଗରେ

ପୁଷ୍ପକ ବିମାନ ଦେଖ ଗଗନେ ସଞ୍ଚରେ ।

ତୁମ୍ଭ ମୁଖେ ସ୍ୱେଦବିନ୍ଦୁ ମଧ୍ୟାହ୍ନେ ଝରଇ,

ତାହାକୁ ଆକାଶ ବାୟୁ ବହନେ ହରଇ ।

ମନ୍ଦାକିନୀ ବୀଚି ଯୋଗୁଁ ଏ ବାୟୁ ଶୀତଳ,

ବହଇ ଏ ଐରାବତ ମଦ ପରିମଳ ।

ସ୍ୟନ୍ଦନର ଗବାକ୍ଷରେ ଲମ୍ବାଇଣ କର

କୁତୂହଳେ ପରଶୁଛ ତୁମ୍ଭେ ଜଳଧର ।

ତୁମ୍ଭ କରକମଳରେ ଅର୍ପୁଅଛି ଘନ

ବିଜୁଳି ବଳୟରୂପ ନବ ଆଭରଣ ।

ଦୂରେ ଦେଖ ବିରାଜଇ ଦଣ୍ଡକ କାନନ,

ନୂତନ ନିର୍ମିତ ଯହିଁ ପର୍ଣ୍ଣନିକେତନ ।

ନାହିଁ ଆଉ ରକ୍ଷୋଭୟ, ଏଣୁ ଆନନ୍ଦରେ

ତପସ୍ୱିଏ ନିବସନ୍ତି ଆଶ୍ରମନିକରେ ।

ତୁମ୍ଭ ପୟର ନେପୁର ପୟରରୁ ଖସି

ମଉନରେ ପଡ଼ିଥିଲା ଏଠାରେ ପ୍ରେୟସି !

ପୂରୁବେ ସେ ବାଜୁଥିଲା ପୟରେ ଗରବେ,

ଭ୍ରଷ୍ଟ ହୋଇ ଦୁଃଖେ ଏଥି ଥିଲା ସେ ନୀରବେ ।

ଯେ ପଥେ ତୁମ୍ଭଙ୍କୁ ରକ୍ଷଃ ନେଇଥିଲା ହରି,

ଦେଖାଇଲେ ସେହି ପଥ ମୋତେ ଦୟା କରି,

ବଚନବିହୀନ ଏହି ବଲ୍ଲରୀନିକର,

ସଞ୍ଚାଳି ପଲ୍ଲବମୟ ଶ୍ୟାମ ଶାଖାକର ।

ତେଜି ତୃଣାଙ୍କୁରସ୍ପୃହା ମୃଗାଙ୍ଗନାଗଣ

ନିବେଶି ଦକ୍ଷିଣ ଆଡ଼େ ଉତ୍ପକ୍ଷ୍ମ ନୟନ,

ଜଣାଇଲେ ମୋତେ କେଉଁ ଦିଗେ ତୁମ୍ଭ ଗତି

ତାହା ଦେଖି ମୋ ହୃଦୟେ ଶୋକ ହେଲା ଅତି ।

ଦିଶଇ ଅଗ୍ରତେ ମାଲ୍ୟବାନ ମହୀଧର,

ଗଗନପରଶୀ ଅଟେ ଯାହାର ଶିଖର ।

ଘନଜଳ ସଙ୍ଗେ ତହିଁ ମୋ ନୟନଜଳ

ଝରିଲା ତୁମ୍ଭ ବିରହଯୋଗୁଁ ଅବିରଳ ।

ନବମେଘଜଳସିକ୍ତ ମୃତ୍ତିକା ସୁବାସ,

କଦମ୍ବ କେଶର ଯାର ଅର୍ଦ୍ଧ ପରକାଶ,

ନୀଳକଣ୍ଠ ମୟୂରର ଗମ୍ଭୀର ନିଃସ୍ୱନ,

ତୁମ୍ଭ ବିନା ଏ ସକଳ ଦହିଲେ ମୋ ମନ ।

କନ୍ଦରଝଙ୍କାରୀ ମନ୍ଦ୍ର ଘନଗରଜନ

ଶୁଣନ୍ତେ ହୃଦୟ ମୋର ହେଲା ଉଚ୍ଚାଟନ,

ସୁମରନ୍ତେ ପୂର୍ବ କଥା ଯେବେ ଥରିଥରି

ଘଡ଼ଘଡ଼ି ଭୟେ ମୋତେ ପକାଇଲା ଧରି ।

ଏଥି ବିକଶିତ ନବ କନ୍ଦଳୀକୁସୁମ,

ଯୁକ୍ତ ତହିଁ ଜଳସିକ୍ତ ମୃତ୍ତିକାର ଧୂମ,

ଦେଖନ୍ତେ ପଡ଼ିଲା ମନେ ବିବାହ ସମୟ,

ଦାବାଗ୍ନି ପରାୟେ ଶୋକ ଦହିଲା ହୃଦୟ ।

ସେ ମଧୁର କାଳେ ତୁମ୍ଭ ନୟନ ଯୁଗଳ

ପୁଣ୍ୟଧୂମ ଯୋଗୁଁ ଆହା କେମନ୍ତ ପାଟଳ !

ଅଗ୍ରତେ ବିରାଜେ ରମ୍ୟ ପମ୍ପା ସରୋବର,

ଯାହାର ଦର୍ଶନେ ଖିନ୍ନ ହୁଅଇ ଅନ୍ତର ।

ଚଉଦିଗ ସମାଚ୍ଛନ୍ନ ନିବିଡ଼ ବେତସେ,

ଜଳେ ବିହରନ୍ତି ଦେଖ, ଆନନ୍ଦେ ସାରସେ ।

ଉତ୍ପଳ କେଶର ଦେଇ ପରସ୍ପର ମୁଖେ

ରଥାଙ୍ଗମିଥୁନ ଏଥି ବସିଥିଲେ ସୁଖେ ।

ତୁମ୍ଭ ବିରହରେ କରି ଏ ଛବି ଦର୍ଶନ

ପୂର୍ବ ସୁଖମାନ, ଆହା, କରିଲି ସ୍ମରଣ ।

ସ୍ତବକସ୍ତନରେ ନମ୍ର ଅଶୋକବଲ୍ଲରୀ

ଦେଖି, ‘ପାଇଲି ତୁମ୍ଭଙ୍କୁ’ ଏହା ମନେ କରି

ଅଧୀର ହରଷେ ଶୋକେ ଆଲିଙ୍ଗନ ଆଶେ

ଅଶ୍ରୁପୂର୍ଣ୍ଣ ନୟନରେ ଧାଆନ୍ତେ ତା ପାଶେ,

‘ନୁହନ୍ତି ଏ ସୀତା ଦେବୀ’ ସୁମିତ୍ରାନନ୍ଦନ

ଏମନ୍ତ ବୋଲିଣ ମୋତେ କଲେ ନିବାରଣ ।

ବିମାନଲମ୍ବିତ ହେମ କିଙ୍କିଣୀ ଶବଦ

ଶୁଣିଣ ସାରସେ ତେଜି ଗୋଦାବରୀ ହ୍ରଦ

ଉଡ଼ି ନୀଳମଣିମୟ ଅମ୍ବରମାର୍ଗରେ

ତୁମ୍ଭଙ୍କୁ ପାଛୋଟି ଆସୁଛନ୍ତି କି ଆଦରେ ?

ବହୁଦିନ ପରେ ଦେଖ ପଞ୍ଚବଟୀ ବନ,

ଯାର ଦରଶନେ ହର୍ଷେ ନିମଗ୍ନ ମୋ ମନ ।

ସୁମଧ୍ୟମା, ତୁମ୍ଭେ ସିଞ୍ଚି ଘଟର ସଲିଳ

ଏହି ବାଳ ଚୂତ ତରୁ ବଢ଼ାଇଣ ଥିଲ ।

ତୁମ୍ଭର ପାଳିତ ଏହି କୃଷ୍ଣସାରପନ୍ତି

ନୟନ ବୁଲାଇ ରଥ ଆଡ଼କୁ ଚାହାନ୍ତି ।

ମୃଗୟାରୁ ବାହୁଡ଼ିଣ ଏଥି ଗୋ ସୁନ୍ଦରି,

ତରଙ୍ଗ ଅନିଳେ ଦେହ କ୍ଳାନ୍ତି ପରିହରି,

ପ୍ରଦୋଷେ ତୋ କୋଳେ ଶିର ନିହି ପ୍ରେମଭରେ

ଶୋଇଥିଲି ପ୍ରିୟେ, ମଞ୍ଜୁ ବଞ୍ଜୁଳ କୁଞ୍ଜରେ ।

ଦେଖ ଦେଖ ରୂପବତି ! ଦିଶେ ମନୋରମ

ସମସ୍ତ ଲୋକପାବନ ଅଗସ୍ତ୍ୟ ଆଶ୍ରମ ।

ଭ୍ରୂଭଙ୍ଗ ମାତ୍ରକେ ଯାର ନହୁଷ ନୃପତି

ଭ୍ରଷ୍ଟ ହୋଇ ଇନ୍ଦ୍ରପଦୁଁ ଲଭିଲେ ଦୁର୍ଗତି ।

ଶରଦରେ ନଭେ ଦେଖି ଯାହାଙ୍କ ଉଦୟ

ହୁଏ ନିରିମଳ କଳୁଷିତ ବାରିଚୟ ।

ଯାର ଅଗ୍ନିତ୍ରୟ-ଧୂମ ହୋମଗନ୍ଧମୟ

ଆଘ୍ରାଣ କରନ୍ତେ ଶୁଦ୍ଧ ହେଉଛି ହୃଦୟ ।

ମହାଯଶା ମହର୍ଷି ଏ, ପ୍ରଭାବେ ଯାହାର

ହେଳେ ଦୂର ହୁଏ ନରହୃଦୟବିକାର ।

ଦିଶୁଅଛି ମାନମୟି, ରମ୍ୟ ପଞ୍ଚାପ୍‌ସର,

ଶାତକର୍ଣ୍ଣି ମହର୍ଷିଙ୍କ କେଳିସରୋବର ।

ଚଉଦିଗ ବେଢ଼ି ଅଛି ବିବିଧ କାନନ,

ମେଘ ଅନ୍ତରାଳେ ଇନ୍ଦୁ ମଣ୍ଡଳ ଯେସନ,

ତେସନ ଦୂରରୁ ଦିଶେ ଏ ସରୋରତନ ।

ପୂର୍ବେ କୁଶାଙ୍କୁର ମାତ୍ର କରିଣ ଆହାର,

ସୁରଙ୍ଗ କୁରଙ୍ଗ ସଙ୍ଗେ କରିଣ ସଞ୍ଚାର,

ଆଚରିଲେ ତୀବ୍ର ତପ ଶାତକର୍ଣ୍ଣି ଯତି,

ତାହା ଦେଖି ଭୀତ ହେଲେ ସୁରରାଜ ଅତି ।

ଯୌବନ-କପଟ-ଯନ୍ତ୍ରେ ପାଞ୍ଚ ଅପ୍‌ସରୀର

ବାନ୍ଧିଲେ ଯୋଗି-ମାନସ-ମୃଗ ସୁନାଶିର,

ଜଳତଳେ ହର୍ମ୍ୟେ ତହିଁ ନିବସନ୍ତି ମୁନି,

ବହୁଅଛି ବାୟୁ ତାଙ୍କ ମୃଦଙ୍ଗର ଧ୍ୱନି ।

ଗଗନରେ ଉଠି ତାଙ୍କ ମଧୁର ସଙ୍ଗୀତ

ପୁଷ୍ପକର ଚନ୍ଦ୍ରଶାଳା କରେ ନିନାଦିତ ।

ସୁତୀକ୍ଷ୍ଣ ନାମେ ତେଜସ୍ୱୀ ଶାନ୍ତ ୠଷିବର

ଆଚରନ୍ତି ତୀବ୍ରତପ ଦେଖ ରାମାବର !

ଅଗ୍ନି ଚତୁଷ୍ଟୟ ମଧ୍ୟେ ବସି ତପୋଧନ

ପ୍ରଚଣ୍ଡ ଭାସ୍କରବିମ୍ବେ ଅର୍ପନ୍ତି ନୟନ ।

ତାଙ୍କର କଠୋର ତପେ ଭୀତ ପୁର-ଅରି

ବ୍ରତଭଙ୍ଗ ଆଶେ ପାଶେ ପେଶିଲେ ଅପ୍‌ସରୀ ।

ସୁରସୁନ୍ଦରୀଙ୍କ ନାନା ବିଳାସ ଲଳିତ

ନ ପାରିଲା ମୋହି ଶାନ୍ତ ମୁନିବର ଚିତ୍ତ ।

ବୃଥା ତାଙ୍କ ହାସ୍ୟମୁଖେ କଟାକ୍ଷ ପ୍ରେରଣ,

ବୃଥା ଛଳକ୍ରମେ ମେଖଳାର ପ୍ରଦର୍ଶନ ।

ଧରିଅଛି ଅକ୍ଷମାଳା-ବଳୟ ଯେ କର,

ମୃଗ-ଦେହ କଣ୍ଡୂୟନେ ଯେ ଅଟେ ତତ୍‌ପର,

ସେ ଦକ୍ଷିଣ ହସ୍ତ ମୋର ସମ୍ମାନ ନିମନ୍ତେ

ପ୍ରସାରିତ ହୋଇଅଛି ଊର୍ଦ୍ଧ୍ୱକୁ କେମନ୍ତେ ?

ସଦା ମୌନବ୍ରତୀ ମୁନି, ଶିର ପ୍ରକମ୍ପରେ

ପ୍ରଣତି ଗ୍ରହିଣ ମୋର ଚିତ୍ତ ପ୍ରାସାଦରେ

ବିମାନର ବ୍ୟବଧାନୁ ବିମୁକ୍ତ ଈକ୍ଷଣ

ନିହିଲେ ଭାସ୍କରବିମ୍ବେ ପୁଣି ତପୋଧନ ।

ଅଗ୍ରତେ ଦିଶଇ ପ୍ରିୟେ, ଅତିଥିଶରଣ

ଶରଭଙ୍ଗ ମହର୍ଷିଙ୍କ ପୁଣ୍ୟ ତପୋବନ ।

ମହାତପା ଋଷି ବହୁକାଳ ଇନ୍ଧନରେ,

ସାଧି ହୁତାଶନ-ତୃପ୍ତି ସଂଯତ ମନରେ,

ଅବଶେଷେ ମନ୍ତ୍ରପୂତ ନିଜର ଶରୀର

ଅର୍ପିଲେ ଆହୁତିରୂପେ ଆନନ୍ଦେ ଅଗ୍ନିର ।

ସ୍ନିଗ୍ଧ ଛାୟା ସୁମଧୁର ଫଳ ଦାନ କରି,

ପଥିକର ପଥଶ୍ରମ ଦୟାଭାବେ ହରି,

ତପୋବନ ତରୁବୃନ୍ଦ ସୁପୁତ୍ର ଯେସନ

ଅତିଥି ସତ୍କାର ବ୍ରତ କରନ୍ତି ପାଳନ ।

ଧରି ଦର୍ପକଳମତ୍ତ ବୃଷଭର ଶିରୀ

ହରଇ ନୟନ ପ୍ରିୟେ, ଚିତ୍ରକୂଟ ଗିରି ।

ବୃଷମୁଖ ତୁଲ୍ୟ ଏହି ଗିରିର କନ୍ଦର,

ନିରନ୍ତର ନିର୍ଝରର ନିନାଦେ ମୁଖର,

ବପ୍ରପଙ୍କ ପରି କଳା ନବଜଳଧର

ଘୋଟିଅଛି ଦେଖ ପ୍ରିୟେ, ପର୍ବତ ଶିଖର ।

ଚିତ୍ରକୂଟ ଗିରିପାଶେ ବହେ ମନ୍ଦାକିନୀ,

ଦୂରୁଁ ଦିଶେ ସୂକ୍ଷ୍ମରେଖା ପରାୟେ ତଟିନୀ,

ପ୍ରଶାନ୍ତ ନିର୍ମଳ ଯଥା ଦେବତାଙ୍କ ମନ,

ଜାହ୍ନବୀର ଜଳ ସଦା ତେମନ୍ତ ପ୍ରସନ୍ନ ।

ଅବନୀ-ରମଣୀ କଣ୍ଠେ ମୁକୁତାର ହାର

ପ୍ରାୟେ ମନ୍ଦାକିନୀ ପ୍ରିୟେ, ଦିଶଇ ଉଦାର ।

ଏହି ସେ ତମାଳ ତରୁ ଦିଶଇ ମଞ୍ଜୁଳ,

ଉଦ୍‌ଗ୍ରୀବ କଳାପିକୁଳେ ନିତ୍ୟ ସମାକୁଳ ।

ସୁରଭି ପଲ୍ଲବେ ଯାର କରି ସୁଯତନ

ରଚିଲି ପ୍ରେୟସି, ତୁମ୍ଭ ଶ୍ରବଣଭୂଷଣ,

ଯବାଙ୍କୁର ସମ ପାଣ୍ଡୁ ଚାରୁ କପୋଳର

ସେ ରମ୍ୟ ଭୂଷଣ ଲାଗି ରାଜିଲା ସୁନ୍ଦର ।

ଅଗ୍ରତେ ରାଜଇ ଅତ୍ରି ମୁନି ତପୋବନ,

ତପସ୍ୟା ପ୍ରଭାବେ ଯହିଁ ଘଟେ ଅଘଟନ;

ଦଣ୍ଡଭୟ ବିନା ଯହିଁ ଜନ୍ତୁଏ ଶାସିତ,

ପୁଷ୍ପବିନା ତରୁବୃନ୍ଦ ହୁଅନ୍ତି ଫଳିତ ।

ଯେ ଜାହ୍ନବୀ ଜଳୁ ସପ୍ତୠଷି ସ୍ୱହସ୍ତରେ

କନକକମଳଚୟ ତୋଳନ୍ତି ଆଦରେ,

ଯାହାର ପ୍ରବାହ ଶିରେ, ପ୍ରସନ୍ନ ପାବନ,

ନିଜେ ହର ମାଳାରୂପେ କରନ୍ତି ଧାରଣ,

ସେହି ଭାଗୀରଥୀ ବହୁଛନ୍ତି ଏହି ବନେ

ଅତ୍ରି-ସଧର୍ମିଣୀ ଅନସୂୟାଙ୍କ ଯତନେ ।

ତପସ୍ୱି ମାନଙ୍କ ସ୍ନାନ-ଅର୍ଥେ ତପସ୍ୱିନୀ,

ତପସ୍ୟା ବଳରେ ଆଣିଥିଲେ ମନ୍ଦାକିନୀ ।

ବିଦେହନନ୍ଦିନୀ, ଦେଖ, ବସି ବୀରାସନେ

ଧ୍ୟାନେ ରତ ମୁନିବୃନ୍ଦ ଏକତାନମନେ ।

ତାଙ୍କ ବେଦୀମଧ୍ୟଗତ ମହୀରୁହଦଳ

ସମୀର ଅଭାବେ ହୋଇ ଏକାନ୍ତ ନିଶ୍ଚଳ

ଯୋଗମଗ୍ନ ଯୋଗୀ ପ୍ରାୟେ ଦିଶନ୍ତି ସକଳ ।

ଏବେ ସେହି ଶ୍ୟାମବଟ ବିରାଜେ ଅଗ୍ରତେ,

ଯାର ପାଦ ବନ୍ଦି କହିଥିଲ ପତିବ୍ରତେ-

‘‘ମୋ ନାଥ ହୁଅନ୍ତୁ ପାରି ସର୍ବ ସଙ୍କଟରୁ,

ନିର୍ବିଘ୍ନେ କରନ୍ତୁ ବ୍ରତ ରକ୍ଷା ମହାତରୁ !’’

 

 

ପଦ୍ମରାଗ ଫଳପୁଞ୍ଜ ପତ୍ର ମରକତେ

ମଣ୍ଡିତ ଏ ବୃକ୍ଷରାଜ ଦିଶଇ କେମନ୍ତେ ?

ଜାହ୍ନବୀ ଯମୁନା ଯୋଗ ଦେଖ ଗୋ ସୁନ୍ଦରି !

ଶୁଭ୍ର ନୀଳ ଜଳ ଦିଶେ ରୁଚିର କିପରି ?

ଇନ୍ଦ୍ରନୀଳ ପରେ ମୋତି ପୁଣି ଇନ୍ଦନୀଳ

ଗୁନ୍ଥା ହେଲା ମାଳା ପ୍ରାୟେ ଦିଶଇ ସଲିଳ;

କିମ୍ବା ଇନ୍ଦୀବରେ ମିଶି ଶ୍ୱେତ ଶତଦଳ-

ମାଳା ପରି ଦିଶେ ଏହି କଳା ଧଳା ଜଳ;

କିଅବା ମାନସଗାମୀ ରାଜହଂସପନ୍ତି

କାଦମ୍ବଦଳ ସଂଯୋଗେ ଯେମନ୍ତେ ଦିଶନ୍ତି;

ଅଥବା ଅବନୀବରବଦନେ ରଚିତ

ଚନ୍ଦନରଚନା କୃଷ୍ଣ ଅଗୁରୁ ମିଶ୍ରିତ;

କିଅବା ଯେମନ୍ତେ ପ୍ରିୟେ, ସୁନୀଳ ଗଗନ

ଶୁଭ୍ର ଶରଦଭ୍ର ରନ୍ଧ୍ରେ ଦିଶଇ ଶୋଭନ;

ଅବା ଧଳାଭସ୍ମବୋଳା ଶଙ୍କର ଶରୀର

ଅସିତ ଉରଗେ ଯଥା ରାଜଇ ରୁଚିର;

କିଅବା ଛାୟାରେ ମିଶା ଚିତ୍ର ଜ୍ୟୋତ୍‍ସ୍ନା ପରି

ଦିଶଇ ପ୍ରେୟସି, ଗଙ୍ଗା ଯମୁନା ଲହରୀ ।

ତ୍ରିଲୋକପାବନ ଗଙ୍ଗା ଯମୁନା ସଙ୍ଗମ

ମୁମୂର୍ଷୁ ଜନର ଅଟେ ଆଶ୍ରୟ ଚରମ;

ବିଦେହନନ୍ଦିନୀ, ଏଥି ଲୋକେ କରି ସ୍ନାନ

ଲଭନ୍ତି ପରମ ଗତି ବିନା ତତ୍ତ୍ୱଜ୍ଞାନ ।

ଏହି ସେ କିରାତପତି ଗୁହକ ନଗରୀ,

ପଡ଼ଇ କି ମନେ ପୂର୍ବ କଥା ଗୋ ସୁନ୍ଦରି ?

ଏଥି ଗୋ ମସ୍ତକୁଁ କାଢ଼ି କନକମୁକୁଟ

ରଚିଲି ତାପସଯୋଗ୍ୟ ନବ ଜଟାଜୂଟ;

ସେକାଳେ ସୁମନ୍ତ୍ର ଅଶ୍ରୁପୂର୍ଣ୍ଣ ଲୋଚନରେ

ଅନାଇଣ ମୋ ଆଡ଼କୁ ମ୍ଳାନ ବଦନରେ

‘କୈକେୟି ! ପୂରିଲା ଏବେ ତୁମ୍ଭ ମନୋରଥ’

ଏମନ୍ତ ଭାଷିଲେ ଦୁଃଖେ ବାହୁଡ଼ାଇ ରଥ ।

ସରଯୂର ତଟେ ଏବେ ରଥ ଉପନୀତ,

ବିଧବା ଜନନୀ ସମ ଅଟନ୍ତି ସରିତ,

ପରବାସୁଁ ସମାଗତ ଦେଖି ମୋତେ ପାଶେ

ଧବଳ ତରଙ୍ଗ-କର ଆଲିଙ୍ଗନେ ଆଶେ

ପ୍ରସାରନ୍ତି ତରଙ୍ଗିଣୀ ଅବା ସ୍ନେହଭରେ,

ଶୀକର-ଶୀତଳ ବାୟୁ ମନସ୍ତାପ ହରେ ।

କନକ କମଳ କଲି ଯା ଜଳେ ବିକଶେ,

ସଦା ଯହିଁ ଯକ୍ଷବାଳା କ୍ରୀଡ଼ନ୍ତି ହରଷେ,

ସେହି ସେ ମାନସ ହ୍ରଦ ମାନସହରଣ

ବେଦମତେ ସରଯୂର ଜନମକାରଣ ।

ପବିତ୍ରସଲୀଳା ଏହି ନଦୀକୁଳେଶ୍ୱରୀ,

ଏହାର ପୁଳିନଦେଶ ମାତାକୋଳ ପରି,

ପିଇଣ ଏହାର କ୍ଷୀର ସମ ସୁଧାପୟ,

ବର୍ଦ୍ଧିତ କୋଶଳ ଦେଶ ନରେଶ୍ୱରଚୟ ।

ଗୋଧୂଳି ଆକାଶ ପରି ତାମ୍ରଧୂଳିରାଶି

ଦେଖ ଗୋ ସୁନ୍ଦରି, ଆଗେ ଆସୁଅଛି ଭାସି,

ହନୁମନ୍ତ ମୁଖୁଁ ପରା ଶୁଣି ମୋ ସନ୍ଦେଶ

ସୈନ୍ୟ ସଙ୍ଗେ ଆସୁଛନ୍ତି ଭରତ ନରେଶ ।

ରଣେ ଖର ଦୂଷଣଙ୍କୁ ବଧି ବାହୁଡ଼ନ୍ତେ

ତୁମଙ୍କୁ ମୋ କରେ ଦେଲେ ସୌମିତ୍ରି ଯେମନ୍ତେ,

ପିତୃସତ୍ୟ ପ୍ରତିପାଳି ମୁହିଁ ପ୍ରତ୍ୟାଗତ,

ରାଜଶ୍ରୀ ଅର୍ପିବେ ଏବେ ମୋଠାରେ ଭରତ ।

ଆଗରେ ବଶିଷ୍ଠ, ପଛେ ଭରତ ସୁମତି,

ଚଉପାଶେ ବେଢ଼ିଛନ୍ତି ଅମାତ୍ୟପଙ୍କତି,

ତହିଁ ପଛେ ରାଜସେନା ରଣେ ଚିରଜୟୀ

ସାଗରଲହରୀ ସମ କି ରଙ୍ଗେ ଆସଇ !

ବଳ୍କଳବସନ ଦେହେ, ଅର୍ଘ୍ୟପାତ୍ର କରେ

ଧାର୍ମିକ ଭରତ ଆସୁଛନ୍ତି ନତ ଶିରେ ।

ନୀରବନ୍ତେ ରାମ, ଦେବବିମାନ

ଇଚ୍ଛା ଜାଣି ବେଗେ ଉଳା ସମାନ

ତାରାପଥୁଁ ଖସେ ଅବନୀତଳ,

ଅନମ୍ବର ଦେଶ ଦିଶେ ଉଜ୍ଜ୍ୱଳ

ଅନାଇଲେ ବିସ୍ମୟରେ ଯେ

ଆନନ୍ଦ ମଗନ ଅଯୋଧ୍ୟାନିବାସୀ ଭରତଙ୍କ ଅନୁଚରେ ଯେ ।

ବିଭୀଷଣ ଆଗେ ଦେଖାନ୍ତି ବାଟ,

ଶ୍ରୀକର ଧରନ୍ତି କବିସମ୍ରାଟ,

ବେନିଏ ଅଟନ୍ତି ସେବାଚତୁର,

ସୋପାନେ, ଅବନୀ ତଳୁ ଅଦୂର,

ପଦ ଦେଇ ରଘୁପତି

ସ୍ଫଟିକ ପଦବୀ କରିଣ ପବିତ୍ର ବିଜେ କଲେ ବସୁମତୀ

ପ୍ରଣମି ବଶିଷ୍ଠ ମୁନି ଚରଣେ

ଅର୍ଘ୍ୟ ଘେନି ପ୍ରଭୁ, ସାଶ୍ରୁନୟନେ

ଚୁମ୍ବିଲେ ଭରତ ଶତ୍ରୁଘ୍ନଶିର

ଆଲିଙ୍ଗି ଆଦରେ ରଘୁ ପ୍ରବୀର,

ଧନ୍ୟ ସେ ସାଧୁ ଭରତ,

ଭୋଗ ପରିହରି ଭ୍ରାତୃପ୍ରେମବଶେ ଆଚରିଲେ ଯତିବ୍ରତ ।

ଦେଖ ହେ ଭରତ, କପି-ଈଶ୍ୱର,

ବିପଦବନ୍ଧୁ ଏ ଦୁଃଖୀ ରାମର,

ମହାମିତ୍ର ମୋର ଏ ବିଭୀଷଣ,

ଅରାତିବିନାଶେ ଅତି ଭୀଷଣ,

ଭାଷନ୍ତେ ରାମ ଏସନ,

ଲକ୍ଷ୍ମଣ ଉପେକ୍ଷି ବେନିଙ୍କି ଭରତ ସାଦରେ କଲେ ବନ୍ଦନ ।

ଭରତ ଚରଣେ ନୁଆଇଁ ଶିର

ସାଷ୍ଟାଙ୍ଗେ ନମିଲେ ସୌମିତ୍ରି ବୀର,

ଉଠାଇ ଭରତ ତାଙ୍କୁ ସାଦରେ

ଆଲିଙ୍ଗିଲେ ଅଙ୍ଗ ପ୍ରେମନିର୍ଭରେ,

ଅନୁଭବି ସେ ଆଶ୍ଳେଷେ

ମେଘନାଦ-ଭୀମ-ପ୍ରହାର-ଅଙ୍କିତ ବନ୍ଧୁର ସେ ଉରୋଦେଶେ ।

କପିସେନାନୀଏ ମନୁଷ୍ୟ ବେଶ

ଧରିଲେ ଲଭିଣ ରାମ ଆଦେଶ,

ବସିଲେ ବାରଣରାଜିପୃଷ୍ଠରେ,

ମଦବାରିଧାରା ଯା ଗଣ୍ଡୁ କ୍ଷରେ,

ଶଇଳୁ ଯେହ୍ନେ ନିର୍ଝର,

ପରିଚିତ ଗିରି ଆରୋହଣ ସୁଖ ଲଭିଲେ ତହିଁ ବାନର ।

ବିଭୀଷଣ ପ୍ରଭୁ ଆଦେଶ ମତେ

ସଗଣେ ବସିଲେ ସୁନ୍ଦର ରଥେ,

କିଅବା ଦେବା ସେ ରଥ ଉପମା ?

ଭୂତଳେ ଅତୁଳ ଯାର ସୁଷମା,

ସେ ସ୍ୟନ୍ଦନ ଦରଶନେ

ନିଶାଚରଙ୍କର ଲଙ୍କାର ସ୍ୟନ୍ଦନ ଶୋଭା ପଡ଼ିଗଲା ମନେ ।

କାମଗତି ଧ୍ୱଜଶୋଭିତ ରଥେ

ବସିଲେ ନୃମଣି ଭ୍ରାତା ସଙ୍ଗତେ,

ବୁଧ ବୃହସ୍ପତି ଯୋଗେ ଯେସନ

ଦିଶନ୍ତି ଶଶାଙ୍କ ତାରାରମଣ

ସାୟନ୍ତନ ଘନ ପରେ,

କେତନ ପରାୟ ସ୍ୱର୍ଣ୍ଣସୌଦାମିନୀ ସ୍ଫୁରୁଥାଏ ଅନମ୍ବରେ ।

ପ୍ରଳୟୁ ବରାହରୂପୀ ମୁରାରି

ବସୁନ୍ଧରା ଯେହ୍ନେ ଥିଲେ ଉଦ୍ଧାରି,

ଜ୍ୟୋତ୍‍ସ୍ନାକୁ ଯେସନ ଶରତ କାଳ

ପ୍ରକାଶେ ବିନାଶି ଜଳଦମାଳ,

ସୀତା ସତୀଙ୍କି ତେସନ

ଉଦ୍ଧାରିଲେ ରବିକୁଳ-ରବି ରାମ ସଂହାରି ରଣେ ରାବଣ ।

ସେ ସୀତା ଚରଣେ ଶିର ଭରତ

ଲଗାଇଲେ ଭକ୍ତିଭାବେ ତଦ୍ଗତ,

ଜାନକୀ ପୟର ପବିତ୍ର ଅତି,

ନ ଘେନିଲା ଲଙ୍କାପତି ପ୍ରଣତି,

ରାମ ପ୍ରେମେ ଜଟାଧର

କୈକେୟୀନନ୍ଦନ ଶିର ଲାଗି ତହିଁ ପୂତ ହେଲେ ପରସ୍ପର ।

ଧାଇଁଲେ ଅଗ୍ରତେ ବ୍ୟଗ୍ର ପ୍ରଜାଏ,

ପଛେ ପୁଷ୍ପଶୋଭୀ ପୁଷ୍ପକ ଧାଏଁ,

ଅର୍ଦ୍ଧ କ୍ରୋଶ କ୍ଷଣେ ହୁଅନ୍ତେ ପାର,

ଦିଶିଲା ବସନ-ଗୃହ ଉଦାର

ଅଯୋଧ୍ୟାର ଉପବନେ,

ଆନନ୍ଦେ ବିଦେହ-ନନ୍ଦିନୀରମଣ ମିଳିଲେ ତହିଁ ସଗଣେ ।

Image